ଆତ୍ମସମର୍ପଣ କଲେ ୯ ହାର୍ଡକୋର ନକ୍ସଲ

71

ସୁକମା : ଶନିବାର ଛତିଶଗଡ ସୁକମା ପ୍ରାନ୍ତରେ ୯ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନେ ବନ୍ଧୁକ ଛାଡି ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଆତ୍ମସମର୍ପଣ କରିଥିବା ଏହି ୯ ନକ୍ସଲଙ୍କ ମଧ୍ୟରେ ୨ ମହିଳା ମଧ୍ୟ ସାମିଲ ଥିବା ଜଣାପଡିଛି। ସବୁଠୁ ବଡ଼ କଥା ହେଉଛି, ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ ୪୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ତେବେ ଶନିବାର ଏହି ମାଓବାଦୀମାନେ ସୁକମା ଜିଲ୍ଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। କିଛି ଦିନ ପୂର୍ବେ ଛତିଶଗଡ଼ର ବିଜାପୁର ଜିଲାରେ ଯବାନମାନେ ଯାଉଥିବା ଏକ ଗାଡ଼ିକୁ ମାଓବାଦୀମାନେ ଶକ୍ତିଶାଳୀ ବିସ୍ଫୋରକ ଉପକରଣ (ଆଇଇଡି) ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ବିସ୍ଫୋରଣରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି)ର ୮ ଯବାନ ଏବଂ ଜଣେ ଗାଡ଼ି ଡ୍ରାଇଭରଙ୍କୁ ମିଶାଇ ମୋଟ୍ ୯ ଯବାନ୍‌ଙ୍କ ମୃତ୍ୟୁ ହୋଇଥିଲା। ଗତ ୨ ବର୍ଷ ମଧ୍ୟରେ ମାଓବାଦୀମାନଙ୍କ ଛତିଶଗଡ଼ରେ ଏହା ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଥିବା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ସ୍ପଷ୍ଟ କହିସାରିଛନ୍ତି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ନକ୍ସଲବାଦରୁ ମୁକ୍ତ କରିବା ପ୍ରତିଜ୍ଞାକୁ ସେ ଦୋହରାଇଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ୯ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିବା ଏକ ବଡ଼ ଘଟଣା ଭାବେ ଦେଖାଯାଉଛି। ଏହାକୁ ନେଇ ଏବେ ଛତିଶଗଡ଼ରେ ଚର୍ଚ୍ଚାର ବିଷୟ ହୋଇଛି।

Comments are closed, but trackbacks and pingbacks are open.