ନିର୍ବାଚନ ପାଇଁ ୨୦୦୪ ଫର୍ମୁଲା ଆପଣେଇବ କଂଗ୍ରେସ: ଜୟରାମ

154

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଲୋକସଭା ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା । ଏଥିପାଇଁ ଶାସକ, ବିରୋଧୀ ଦଳ ପ୍ରସ୍ତୁତ ହୋଇସାରିଲେଣି । ଜନତାଙ୍କ ବହୁମତକୁ ନିଜ ସପକ୍ଷରେ ଆଣିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଲେଣି ପ୍ରତି ଦଳ । ଲୋକସଭା ନିର୍ବାଚନରେ ବିରୋଧୀ ଦଳ କଂଗ୍ରେସ ବିଜେପିର ବିଜୟ ରଥ ରୋକିବାକୁ ଚେଷ୍ଟା ଜାରି ରଖିଛି । ନରେନ୍ଦ୍ର ମୋଦୀଙ୍କୁ ଚଳିତ ନିର୍ବାଚନରେ ହରାଇବାକୁ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି ।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି  ଯେଉଁଭଳି ୨୦୦୪ରେ ସୋନିଆ ଗାନ୍ଧୀ ବିଜୟ ଫର୍ମୁଲାରେ ପାର୍ଟି ବିଜୟ ହାସଲ କରିଥିଲା, ସେହିପରି ଏହି ନିର୍ବାଚନରେ ମଧ୍ୟ ଦଳ ସେହି ଫର୍ମୁଲାକୁ ଆପଣାଇବ ବୋଲି ଜାତୀୟ ଗଣମାଧ୍ୟମରେ କହିଛନ୍ତି ଜୟରାମ ରମେଶ । ସେ କହିଛନ୍ତି ୨୦୦୪ ନିର୍ବାଚନ ସମୟରେ ସୋନିଆ ଗାନ୍ଧୀ ତାଙ୍କୁ ଏକ କଥା କହିଥିଲେ, ଲୋକସଭା ନିର୍ବାଚନକୁ ରାଷ୍ଟ୍ରୀୟ ସ୍ତରରେ ନୁହେଁ ବରଂ ଏପରି ଦେଖନ୍ତୁ ପୁରା ୨୯ ରାଜ୍ୟରେ ନିର୍ବାଚନ ହେଉଛି । ଯାହାର ଫଳାଫଳ ଲୋକସଭା ନିର୍ବାଚନରେ ଆସିବ । ସେହି ସମୟରେ ସମାନ ଘଟଣା ଘଟିଥିଲା ଆମ ପାଖରେ କେହି ନୂଆ ଚେହେରା ନଥିଲେ । କୌଣସି ନିର୍ବାଚନ ଚିହ୍ନ ନଥିଲା । ୨୦୦୪ ପରେ ୨୦୦୯ରେ ଆମକୁ ଉତ୍ତର ପ୍ରଦେଶରେ ୨୨ଟି ଆସନ ମିଳିଥିଲା ।

୨୦୦୪ରେ ବିଜେପିର ଇଣ୍ଡିଆ ଜ୍ୟୋତି ସ୍ଲୋଗାନ ଅତ୍ୟନ୍ତ ବିଫଳ ହୋଇଥିଲା। କଂଗ୍ରେସ ହାତକୁ ଆସିଥିଲା ଶାସନ ଭାର । କଂଗ୍ରେସର ବିଜୟ ବିଜେପି ପାଇଁ ବହୁତ ବଡ଼ ଝଟକା ଲାଗିଥିଲା । କାରଣା ୧୯୯୯ରେ ମିଳିଥିବା ବିଜୟ ପରେ ଦଳ ପ୍ରଥମ ଥର ପାଇଁ ୫ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରରେ କ୍ଷମତାରେ ରହିଥିଲା।

ଏହା ପୂର୍ବରୁ ଜୟରାମ ରମେଶ କହିଥିଲେ କି ୨୦୦୩ରେ କଂଗ୍ରେସ ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜୟ ହାସଲ କରିଥିଲା । ଲୋକ କଂଗ୍ରେସକୁ ଭୋଟ ଦେଇନଥିଲେ କିନ୍ତୁ ୨୦୦୪ରେ କଂଗ୍ରେସ ପୁଣି ସତ୍ତାକୁ ଆସିଥିଲା, ସରକାର ଗଢ଼ିଥିଲା । ଇତିହାସ ପୁଣିଥରେ ପୁନରାବୃତ୍ତି ହେବ । ବିଭିନ୍ନ ରାଜ୍ୟରେ ଇଣ୍ଡିଆ ମେଣ୍ଟରେ ଫାଟ ପରେ ଏଭଳି କିଛି କହିଛନ୍ତି ଜୟରାମ ରମେଶ ।

Comments are closed, but trackbacks and pingbacks are open.