ଦୁର୍ଘଟଣାରେ ସୁଧାକର ବସନ୍ତ ଗୁରୁତର

414

କଟକ/ଟାଙ୍ଗୀ: ଟାଙ୍ଗୀ ଥାନା ମଙ୍ଗୁଳି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସହିତ ଥିବା ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି।
ନିର୍ଦ୍ଦେଶକ ଶ୍ରୀ ବସନ୍ତ ନିଜ ସହ-ନିର୍ଦ୍ଦେଶକ ରଘୁନାଥଙ୍କ ସହ ଏକ କାର୍‌ (ଓଡି୧୭ଡି-୪୮୯୧)ରେ ବାରିପଦାରୁ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ବର ଆସୁଥିଲେ। ସୁଧାକରଙ୍କୁ ମିଶାଇ କାର୍‌ ଭିତରେ ମୋଟ ୩ଜଣ ଥିଲେ। ମଙ୍ଗୁଳି ଛକ ନିକଟରେ ଥିବା ବଜରଙ୍ଗୀ ୱେ-ବ୍ରିଜ୍ ପାଖରେ ପୂର୍ବରୁ ଅଟକିଥିବା ଏକ ଟ୍ରକ୍‌କୁ ତାଙ୍କ କାର ପଛପଟୁ ଧକ୍କା ଦେଇଥିଲା। ତାଙ୍କ କାର୍‌ଟି ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର୍‌ ହୋଇଯାଇଛି। ସ୍ଥାନୀୟ ଲୋକେ ଟାଙ୍ଗୀ ଥାନାକୁ ଜଣାଇବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ସହ ଚୌଦ୍ବାର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲା। ଅଗ୍ନିଶମବାହିନୀର ଷ୍ଟେସନ୍‌ ଅଫିସର୍‌ ବିଷ୍ଣୁପ୍ରସାଦ ଦାସ ତାଙ୍କ ଟିମ୍ ସହ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ କଟର୍‌ ସାହାଯ୍ୟରେ ଗାଡ଼ିଟିକୁ କାଟି ଆହତ ଡ୍ରାଇଭର୍‌ଙ୍କ ସହ ୨ଜଣଙ୍କୁ ଉଦ୍ଧାର କରିବା ପରେ ପିସିଆର୍‌ ଭ୍ୟାନ୍ ଯୋଗେ ସେମାନଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନା ପଠାଯାଇଥିଲା।

ସୁଧାକରଙ୍କ ମୁଣ୍ଡର ସାମ୍ନା ଭାଗରେ ଗଭୀର ଆଘାତ ଲାଗିଥିବା ବେଳେ ମୁହଁ ଓ ନାକ ମଧ୍ୟ ଫାଟିଯାଇଛି। ଏସ୍‌ସିବି ଟ୍ରମା ୱାର୍ଡରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ଡ୍ରାଇଭର୍‌ ଏବଂ ତାଙ୍କ ସହ-ନିର୍ଦ୍ଦେଶକ ସାମାନ୍ୟ ଆହତ ହୋଇଛନ୍ତି। ୧୬ନଂ. ଜାତୀୟ ରାଜପଥରେ ବେଆଇନ୍ ଭାବେ ଭାରୀଯାନ ଠିଆ ହେବା ଓ ଘନକୁହୁଡ଼ି ହୋଇଥିବାରୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।

Comments are closed, but trackbacks and pingbacks are open.