ଫେବୃୟାରୀ ୧୧ରେ ସାଧାରଣ ନିର୍ବାଚନ

212

ଇସଲାମାବାଦ: ଆସନ୍ତାବର୍ଷ ଫେବୃୟାରୀ ୧୧ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ପାକିସ୍ତାନ ନିର୍ବାଚନ କମିଶନଙ୍କ ପକ୍ଷରୁ ଗୁରୁବାର ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ଫଳରେ ନିର୍ବାଚନକୁ ନେଇ ଦେଖାଦେଇଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ନ୍ୟାସନାଲ ଆସେମ୍ବ୍ଲି ଭଙ୍ଗ ହେବାର ୯୦ ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବା କଥା । ଚଳିତବର୍ଷ ଅଗଷ୍ଟ ୯ରେ ନ୍ୟାସନାଲ ଆସେମ୍ବ୍ଲି ଭଙ୍ଗ ହୋଇଥିବାବେଳେ ନଭେମ୍ବର ୯ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ବୋଲି ଆଶା କରାଯାଉଥିଲା ।

ତେବେ ଅନିବାର୍ଯ୍ୟ କାରଣବଶତଃ ୯୦ ଦିନ ମଧ୍ୟରେ ନିର୍ବାଚନ କରାଇବା ଅସମ୍ଭବ ବୋଲି କମିଶନ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ସୂଚୀତ କରାଯାଇଥିଲା । ନଭେମ୍ବର ୩୦ ସୁଦ୍ଧା ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବାପରେ ୫୪ ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ କରାଇବାକୁ କମିଶନ ଘୋଷଣା କରିଥିଲେ । ତେବେ ଏହି ସମୟସୀମା ପାଳନ କରିବା କଷ୍ଟକର ହୋଇପଡିଥିଲା ।

ବର୍ତ୍ତମାନ ଜାନୁଆରୀ ୨୯ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବାପରେ ଫେବୃଆରୀ ୧୧ (ଦ୍ୱିତୀୟ ରବିବାର) ନିର୍ବାଚନ ଅନୁଷ୍ଠିତ ହେବ ବୋଲି କମିଶନ ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.