ଖୋଲିଲା ପଶ୍ଚିମଦ୍ୱାର: ପରିଚୟପତ୍ର ଦେଖାଇ ପ୍ରବେଶ କରିବେ ପୁରୀ ବାସିନ୍ଦା

92

ପୁରୀ: ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର । ପ୍ରବଳ ଦାବି ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର। ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀବାସୀଙ୍କ ପାଇଁ ଏହି ଦ୍ୱାର ଖୋଲାଯାଇଛି । ପଶ୍ଚିମଦ୍ୱାର ଆଜି ଖୋଲିବା ପରେ ପୁରୀ ବାସିନ୍ଦା ପରଚିୟ ପତ୍ର ଦେଖାଇ ମନ୍ଦିରରେ ପ୍ରବେଶ କରି ଠାକୁର ଦର୍ଶନ କରିଛନ୍ତି ।

କରୋନା ମହାମାରୀ ସମୟରେ ସିଂହଦ୍ୱାର ଛଡ଼ା ଅନ୍ୟ ଦ୍ୱାରକୁ ବନ୍ଦ କରାଯାଇଥିଲା । କିନ୍ତୁ ମହାମାରୀ ପରେ ବି ଦ୍ୱାର ଖୋଲା ଯାଇନଥିଲା । ସିଂହଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ବେଳେ ପ୍ରବଳ ଭିଡ଼ ହେଉଥିବାରୁ ୪ ଦ୍ୱାର ଭକ୍ତଙ୍କ ପାଇଁ ଖୋଲିବାକୁ ଦାବି ଜୋର ଧରିଥିଲା। ଗତକାଲି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଜିଲ୍ଲାପାଳଙ୍କୁ ଏ ପ୍ରସଙ୍ଗରେ ଚିଠି ଲେଖି ପୁରୀ ବାସିନ୍ଦାଙ୍କ ଭାବାବେଗକୁ ଗୁରୁତ୍ଵ ଦେଇ ଅନ୍ତତଃ ଆଉ ଗୋଟିଏ ଦ୍ଵାର ବାଟେ ତୁରନ୍ତ ସର୍ବସାଧାରଣ ଭକ୍ତଙ୍କ ପ୍ରବେଶ ଅନୁମତିଦେବାକୁ ଦାବି କରିଥିଲେ। ଯଦି ଏନେଇ ତ୍ଵରିତ ନିଷ୍ପତ୍ତି ନିଆନଯାଏ, ତେବେ ସୋମବାରଠାରୁ ସେ ପଶ୍ଚିମ ଦ୍ଵାର ସମ୍ମୁଖରେ ବସି ରହି ମହାପ୍ରଭୁଙ୍କୁ ପ୍ରାର୍ଥନା କରିବେ ବୋଲି କହିଥିଲେ।

ଗତକାଲି ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ କମିଟିର ଏକ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିଲା। ପରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂହଙ୍କ ସମେତ ପରିଚାଳନା କମିଟିର ସଦସ୍ୟବୃନ୍ଦ ଓ ସବ କମିଟିର ସଦସ୍ୟମାନେ ପଶ୍ଚିମ ଦ୍ଵାର ଓ ଅନ୍ୟ ଦ୍ଵାର ବୁଲି ସ୍ଥିତି ପରଖିଥିଲେ। ଭକ୍ତମାନେ କିଭଳି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଦର୍ଶନ କରିବାକୁ ପଶ୍ଚିମ ଦ୍ଵାର ବାଟେ ପ୍ରବେଶ କରିବେ ସେନେଇ ଆଲୋଚନା କରିଥିଲେ। ଆଉ ଆଜିଠାରୁ ପଶ୍ଚିମ ଦ୍ୱାର ଖୋଲିଛି | ସକାଳ ୭ଟାରୁ ପୁରୀବାସୀଙ୍କ ପାଇଁ ଖୋଲିଛି ପଶ୍ଚିମ ଦ୍ଵାର ।  ଶ୍ରୀମନ୍ଦିରର ଅନ୍ୟ ଦୁଇ ଦ୍ୱାର ଖୋଲିବା ନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.