ବାଲେଶ୍ୱରରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ବଢୁଛି ମୃତ୍ୟୁ ସଂଖ୍ୟା

25

ବାଲେଶ୍ୱର : ବାଲେଶ୍ୱରର ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ହୋଇଛି ଭୟଙ୍କର ଦୁର୍ଘଟଣାରଗ୍ରସ୍ତ । ମାଲବାହୀ ଟ୍ରେନ ସହ ମୁହାଁମୁହିଁ ଧକ୍କା ଯୋଗୁ କରମଣ୍ଡଳ ଏକ୍ସପ୍ରେସର ୮ ଟି ବଗି ଓଲଟି ପଡ଼ିଥିବା ଯୋଗୁ ବହୁ ସଂଖ୍ୟାରେ ଯାତ୍ରୀ ମୃତାହତ ହୋଇଥିବାର ଆଶଙ୍କା କରାଯାଉଛି। ବାହାନଗା ଷ୍ଟେସନ୍‌ ନିକଟ ପଣପଣାଠାରେ ଏହି ଦୁର୍ଘଟଣା ଘଟିଛି । ଆଜି ଟ୍ରେନ୍‌ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ସନ୍ଧ୍ୟା ପ୍ରାୟ ୭ଟା‌ ୦୫ ମିନିଟ୍‌ରେ ବାହାନଗା ଷ୍ଟେସନ୍‌ ନିକଟରେ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଟେନ୍‌ ଉପରେ ଏହା ଚଢ଼ିଯାଇଥିଲା।

ଯାତ୍ରୀଙ୍କୁ ଉଦ୍ଧାର ଓ ତତ୍କାଳ ମେଡିକାଲ ଚିକିତ୍ସା ସୁବିଧା ଦେବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ରେଳବାଇ ପୁଲିସ ସହ ସ୍ଥାନୀୟ ସୋର ଓ ବାହାନଗା ପୁଲିସ ତଥା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଆହତମାନଙ୍କୁ ନିକଟସ୍ଥ ବାହାନଗା, ସ‌ୋର ଓ ବାଲେଶ୍ବର ଡାକ୍ତରଖାନା ନିଆଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଜରୁରୀକାଳୀନ କଣ୍ଟ୍ରୋଲରୁମ୍ ନମ୍ବର ଜାରି ହୋଇଛି । ବାଲେଶ୍ୱରଠାରେ ସରକାରଙ୍କ ପକ୍ଷରୁ ସ୍ଥାପନ ହୋଇଥିବା ଏହି କଣ୍ଟ୍ରୋଲରୁମ ନମ୍ବର ହେଲା ୬୭୮୨୨୬୨୨୮୬ (ମୋବାଇଲ ଫୋନ୍ ନମ୍ବର)। ଜରୁରୀକାଳୀନ ସୂଚନା ପାଇଁ ଏହି ନମ୍ବର ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏହାସହିତ ଯାତ୍ରୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଭଦ୍ରକରୁ ୫ଟି ଆମ୍ବୁଲାନ୍ସ ଦୁର୍ଘଟଣାସ୍ଥଳକୁ ପଠାଯାଇଛି ।

ଉଳ୍ଲେଖଯୋଗ୍ୟ, ଏହି ଟ୍ରେନର ୮ ଟି ବଗି ତଳେ ପ୍ରାୟ ୪୦୦ ଯାତ୍ରୀ ଏବେବି ଟ୍ରେନ ତଳେ ଚାପି ହୋଇ ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଓ ଏନଡିଆରଏଫ ଟିମକୁ ଘଟଣାସ୍ଥଳକୁ ଯିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ବାଲେଶ୍ୱର ଜିଲ୍ଲାପାଳଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ ସ୍ଥାନୀୟ ପ୍ରଶାସନ ସହାୟତାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed, but trackbacks and pingbacks are open.