୨୦୨୩ ଗଣତନ୍ତ୍ର ଦିବସ ପରେଡ୍ ହେବ ସ୍ବତନ୍ତ୍ର

18

ଦେଶ ପାଳନ କରିବ ୭୪ତମ ଗଣତନ୍ତ୍ର ଦିବସ। ପ୍ରତି ଗଣତନ୍ତ୍ର ଦିବସ ଭଳି ଏବର୍ଷ ମଧ୍ୟ ଦିଲ୍ଲୀ ରାଜପଥରେ ପରେଡ୍ ଅନୁଷ୍ଠିତ ହେବ। ତେବେ ଏବର୍ଷର ଗଣତନ୍ତ୍ର ଦିବସ ପରେଡ୍ ହେବ ସ୍ବତନ୍ତ୍ର। ଚଳିତ ବର୍ଷ ଗଣତନ୍ତ୍ର ଦିବସ ଉତ୍ସବର ବିଷୟବସ୍ତୁ ହେଉଛି ଗଣତନ୍ତ୍ର ଦିବସ ଉତ୍ସବରେ ‘ସାଧାରଣ ଲୋକଙ୍କ ଅଂଶଗ୍ରହଣ’। ଏଥିପାଇଁ ଏବର୍ଷ ପରେଡ୍ ଦେଖିବାକୁ ଅତିଥି ହେବେ ରିକ୍ସା ବାଲା ଓ ପରିବା ବିକାଳୀଙ୍କ ଭଳି ଅତି ସାଧାରଣ ଲୋକ, ଯାହା ପ୍ରକୃତରେ ଏକ ଗଣତନ୍ତ୍ର ରାଷ୍ଟ୍ରର ଆତ୍ମାକୁ ପ୍ରତିନିଧିତ୍ୱ କରିବ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ସେଣ୍ଟ୍ରାଲ୍ ଭିସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ, ସେମାନଙ୍କ ପରିବାର ବର୍ଗ, ରାଜଧାନୀ ଦିଲ୍ଲୀରେ ନବ ନିର୍ମିତ କର୍ତ୍ତବ୍ୟ ପଥର ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ସହ ସାଧାରଣ ରିକ୍ସା ବାଲା, ଛୋଟ ଗ୍ରୋସରୀ ଏବଂ ପନିପରିବା ବିକ୍ରେତା ଗଣତନ୍ତ୍ର ଦିବସ ପରେଡ୍ ରେ ଆଗ ଧାଡ଼ିରେ ବସିବେ। ସେହିଭଳି ଚଳିତ ବର୍ଷ ଗଣତନ୍ତ୍ର ଦିବସ ପାଳନ ଅବସରରେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଅଲ-ସିସି ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏହି ଅବସରରେ ଇଜିପ୍ଟର ୧୨୦ ସଦସ୍ୟ ବିଶିଷ୍ଟ କଣ୍ଟିଜେଣ୍ଟ ମଧ୍ୟ ପରେଡରେ ଅଂଶଗ୍ରହଣ କରିବେ।

ତେବେ ଜାତୀୟ ସ୍ତରରେ ସାଧାରଣ ଲୋକଙ୍କ ପ୍ରତିନିଧିତ୍ୱ ବଢ଼ାଇବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ ଜାରି ରହିଛି। ଗତ ବର୍ଷର ଗଣତନ୍ତ୍ର ଦିବସ ପରେଡରେ ମଧ୍ୟ ଅଟୋରିକ୍ସା ଡ୍ରାଇଭର, ନିର୍ମାଣ ଶ୍ରମିକ, ପରିମଳ କର୍ମଚାରୀଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ନବୀକରଣ ହୋଇଥିବା କର୍ତ୍ତବ୍ୟ ପଥରେ ଏହା ହେଉଛି ପ୍ରଥମ ଗଣତନ୍ତ୍ର ଦିବସ ଉତ୍ସବ। ପୂର୍ବରୁ ଏହା ରାଜପଥ ନାମରେ ନାମିତ ଥିଲା। ସେପ୍ଟେମ୍ବର ୨୦୨୨ରେ ଏହାକୁ କର୍ତ୍ତବ୍ୟ ପଥ ନାମରେ ନାମିତ କରାଯାଇଥିଲା। ତେବେ ଏବର୍ଷ ପରେଡରେ ଦେଖିବାକୁ ଥିବା ଦର୍ଶକ ମାନଙ୍କ ସିଟ୍ ସଂଖ୍ୟାକୁ ହ୍ରାସ କରାଯାଇଛି। ଏବର୍ଷ ମୋଟ ୪୫,୦୦୦ ସିଟ୍ ଥିବାବେଳେ ଏଥିରୁ ୩୨,୦୦୦ ସିଟ୍ ସାଧାରଣ ଲୋକମାନଙ୍କ ପାଇଁ ଉଦ୍ଧିଷ୍ଟ ରହିଛି, ଏହି ସିଟ୍ କୁ ଅନଲାଇନ୍ ମାଧ୍ୟମରେ ଲୋକେ ବୁକ୍ କରିପାରିବେ।

Comments are closed, but trackbacks and pingbacks are open.