ଜିରୋ ନାଇଟ ସେଲିବ୍ରେସନ ପାଇଁ ଜାରି ହେଲା ନିୟମ

33

ଭୁବନେଶ୍ୱର: ଆସୁଛି ନୂଆବର୍ଷ, ୨୦୨୨ କୁ ବିଦାୟ ଦେଇ ୨୦୨୩କୁ ହେବ ସ୍ୱାଗତ । ଏଥିପାଇଁ ସେଲବ୍ରେସନ ମୁଡରେ ସାରା ଦୁନିଆ । ଦୀର୍ଘ ୨ ବର୍ଷ ପରେ ବିନା କଟକଣାରେ ଜିରୋ ନାଇଟ ଏବଂ ନୂଆବର୍ଷ ପାଳନ କରିବାର ସୁଯୋଗ ମିଳିଛି । କରୋନା ସଂକ୍ରମଣ କମ୍ ରହିଥିବାରୁ ଚଳିତ ବର୍ଷ ଅଧିକାଂଶ ସ୍ଥାନରେ ବିଶେଷ କଟକଣା ମଧ୍ୟ ନାହିଁ । ସେଥିପାଇଁ ନୂଆବର୍ଷକୁ ଖୁବ ଧୁମଧାମରେ ପାଳନ କରିବା ପାଇଁ ପ୍ଲାନ ଆରମ୍ଭ ହୋଇଯାଇଛି । କିନ୍ତୁ ଏହି ଖୁସି ଭିତରେ ଗୋଟିଏ ସମସ୍ୟା ହୋଇ ପୁଣି ମୁଣ୍ଡ ଟେକିଛି କରୋନା । ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଇଛି, ଯାହାକୁ ନେଇ ପୁଣି ଥରେ ଲୋକଙ୍କ ମନରେ ପଶିଛି ଛନକା । ତେବେ ଆସନ୍ତୁ ଜାଣିବା ନୂଆବର୍ଷ ପାଇଁ ରାଜ୍ୟରେ କି ପ୍ରକାର ଗାଇଡଲାଇନ ରହିଛି । ଆଉ ମାତ୍ର ଗୋଟିଏ ଦିନ ପରେ ବଦଳିଯିବ କ୍ୟାଲେଣ୍ଡର । ୨୦୨୨କୁ ହସି ହସି ବିଦାୟ ଦେବା ସହ ୨୦୨୩କୁ ସ୍ୱାଗତ କରିବା ପାଇଁ ପାଳନ ହେବ ଜିରୋ ନାଇଟ ସେଲିବ୍ରେସନ । କିନ୍ତୁ ଏହି ସେଲିବ୍ରେସନ ଉପରେ ରହିବ କମିଶନରେଟ ପୋଲିସର କଡା ନଜର । କିନ୍ତୁ ସେଲିବ୍ରେସନ ନାଁରେ ହେଉଥିବା ଅନୈତିକ କାର୍ଯ୍ୟକଳାପକୁ ଜଗିବ ସ୍ୱତନ୍ତ୍ର ପୋଲିସ ଫୋର୍ସ । ଏଥିପାଇଁ ରାଜ୍ୟରେ ମଦୁଆଙ୍କୁ ସାବାଡ କରିବା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ଜାଗା ଜାଗାରେ ମୋଟ ୨୮ଟି ଚେକପୋଷ୍ଟ କରାଯାଇ କଡା ପ୍ରହରା ଦେବ କମିଶନରେଟ ପୋଲିସ । କୋଭିଡ ଗାଇଡଲାଇନ ନଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ଏହା ଭିତରେ ମଦ ପିଇ ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ୧୭ଟି ଜାଗାରେ ଚେକ ପୋଷ୍ଟ ଖୋଲାଯିବ । ଏହାସହିତ ୧୩ ପ୍ଲାଟୁନ ପୋଲିସ ଫୋର୍ସ, ୩ଟି ଜାଗାରେ ଷ୍ଟ୍ରାଇକିଙ୍ଗ ଫୋର୍ସ ମଧ୍ୟ ନିୟୋଜିତ କରାଯିବ । ସେହିପରି ଜିରୋ ନାଇଟ ସେଲିବ୍ରେସନ ହେଉଥିବା ହୋଟେଲମାନଙ୍କରେ ସ୍ୱତନ୍ତ୍ର ପୋଲିସ ମଧ୍ୟ ଉପସ୍ଥିତ ରହିବେ । କୌଣସି ଖିଲାପ କିମ୍ବା ଆଇନ ବିରୋଧ ଜନିତ କାର୍ଯ୍ୟକଳାପ ଦେଖିବାକୁ ମିଳିଲେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏମାନଙ୍କୁ ସ୍ପେଶାଲ ପାୱାର ଦିଆଯାଇଛି । ତେବେ ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୭ଟାରୁ ରାତି ୨ଟା ପର୍ଯ୍ୟନ୍ତ ଏହି ଚେକିଙ୍ଗ ଜାରି ରହିବ । କିନ୍ତୁ ସଂକ୍ରମଣର ଭୟ ଏବେ ବି ରହିଛି । ତେଣୁ ସମସ୍ତଙ୍କୁ ସୁରକ୍ଷିତ ଏବଂ ସତର୍କତା ଅବଲମ୍ବନ କରିବା ପାଇଁ ଅନୁରୋଧ ।

Comments are closed, but trackbacks and pingbacks are open.