ଆକାଂକ୍ଷୀ ଜିଲ୍ଲାକୁ ପ୍ରେରଣାଦାୟୀ ଜିଲ୍ଲାରେ ପରିଣତ କର : ରାଜ୍ୟପାଳ

28

ବଲାଙ୍ଗିର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦୁଇ ଦିନିଆ କଳାହାଣ୍ଡି ,ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କ୍ରମରେ ବଲାଙ୍ଗିରରେ ପହଞ୍ଚିଛନ୍ତି। ରାଜ୍ୟପାଳ ଟ୍ରେନ ଯୋଗେ ପ୍ରଥମେ ଭବାନିପାଟଣାରେ ପହଞ୍ଚିଥିଲେ। ସେଠାରୁ ବଲାଙ୍ଗିର ଗସ୍ତରେ ଆସି ସର୍କିଟ ହାଉସରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଧାୟକ ନରସିଂହ ମିଶ୍ର ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା, ବଲାଙ୍ଗିର ଦାୟିତ୍ଵରେ ଥିବା ବରଗଡ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି॰ ପରମାର ପ୍ରମୁଖ ରାଜ୍ୟପାଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ପରେ ସର୍କିଟ ହାଉସ ଠାରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କର ଏକ ବୈଠକରେ ରାଜ୍ୟପାଳ ଯୋଗଦେଇଥିଲେ। ଜିଲ୍ଲାପାଳ ଚଞ୍ଚଳ ରାଣା ବଲାଙ୍ଗିର ଜିଲ୍ଲାରେ କାର୍ଯକାରୀ ହେଉଥିବା ବିଭିନ୍ନ ଉନ୍ନୟନ ଓ ଜନହିତକର କାର୍ଯ୍ୟକ୍ରମର ରୂପରେଖ ଓ ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ମାନଦଣ୍ଡ ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ମାନଦଣ୍ଡରେ ଜିଲ୍ଲାର ସାମଗ୍ରିକ ଅଗ୍ରଗତି ସନ୍ତୋଷ ଜନକ ଥିବା ପ୍ରକାଶ କରି ଆକାଂକ୍ଷୀ ଜିଲ୍ଲା କାର୍ଯକ୍ରମ ଉତ୍ସାହଜନକ ଥିବା କହିଥିଲେ। ଆକାଂକ୍ଷୀ ଜିଲ୍ଲାକୁ ପ୍ରେରଣାଦାୟୀ ଜିଲ୍ଲା ଭାବେ ପରିଣତ କରିବା ଦିଗରେ ନିଷ୍ଠାପର ଉଦ୍ୟମ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଗତି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବାକୁ କହିବା ସହ ନିରାପଦ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଥିଲେ। ଏତଦ ବ୍ୟତୀତ ମିଶନ ଶକ୍ତି, ଜୀବିକା ମିଶନ କାର୍ଯକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ଯୋଜନା ଗୁଡିକର ସଫଳ ରୂପାୟନ ଦିଗରେ ବିଭାଗୀୟ ଅଧିକାରୀ ମାନେ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ରାଣା ବୈଠକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ବୈଠକରେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ଦାୟିତ୍ଵ ରେ ଥିବା ବରଗଡ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି॰ ପରମାର, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଡିଏଫଓ ନିତୀଶ କୁମାରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ପରେ ରାଜ୍ୟପାଳ ବଲାଙ୍ଗିର ସହର ସ୍ଥିତ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ପଡିଆରେ ରୋଟାରୀ କ୍ଲବ ଅଫ ଇଲାଇଟ,ବଲାଙ୍ଗିର ଦ୍ଵାରା ଆୟାଜିତ ଉଡ଼ାନ ମିଟ-୨୦୨୨ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପରେ ସେଠାରୁ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ନିକଟରେ ଥିବା ମାରୱ।ଡି ସେବା ସଦନକୁ ଯାଇ ମାରୱ।ଡି ପଞ୍ଚାୟତ,ବଲାଙ୍ଗିର ଦ୍ଵାରା ପରିଚାଳିତ ସେବା ସଦନ କୋଠାର ଦ୍ଵିତୀୟ ମହଲାକୁ ଉଦଘାଟନ କରିଥିଲେ। ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇଛନ୍ତି।

Comments are closed, but trackbacks and pingbacks are open.