ୟୁପିରେ ଯୋଗୀ ସରକାରଙ୍କୁ ଝଟ୍‌କା, ପୌର ନିର୍ବାଚନ ଉପରେ ହାଇକୋର୍ଟଙ୍କ ରହିତାଦେଶ

35

ଲକ୍ଷ୍ନୌ: ଉତ୍ତରପ୍ରଦେଶ (ୟୁପି)ରେ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଥିଲେ, ତାହା ଉପରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍ ମଙ୍ଗଳବାର ରହିତାଦେଶ ଜାରି କରିଛନ୍ତି । ଫଳରେ ୟୁପିରେ ଯୋଗୀ ସରକାରଙ୍କୁ ବଡଧରଣର ଝଟ୍‌କା ଲାଗିଛି । ପଛୁଆ ବର୍ଗ (ଓବିସି)ଙ୍କୁ ବାଦଦେଇ ପୌର ନିର୍ବାଚନ ଅନୁଷ୍ଠିତ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ଡିସେମ୍ବର ୫ରେ ବିଜ୍ଞପ୍ତି ଜାରି କରିଥିଲେ । ଏଥିରେ ଓବିସି ସଂପ୍ରଦାୟଙ୍କ ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ତେବେ ମ୍ୟୁନିସିପାଲିଟୀ ନିର୍ବାଚନରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ଅନିୟମିତତା ଅବଲମ୍ବନ କରାଯାଇଛି ବୋଲି ଅଭିଯୋଗ କରି ହାଇକୋର୍ଟରେ ଏକାଧିକ ପିଟିସନ ଦାଏର କରାଯାଇଥିଲା । ଓବିସି ସଂରକ୍ଷଣ ପ୍ରସ୍ତାବ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ତ୍ରିସ୍ତରୀୟ ଫର୍ମୁଲାକୁ ରାଜ୍ୟ ସରକାର ପ୍ରୟୋଗ କରିନଥିବା ଅଭିଯୋଗ ହୋଇଥିଲା । ଜଷ୍ଟିସ ଡି.କେ.ଉପାଧ୍ୟାୟ ଓ ଜଷ୍ଟିସ ସୌରଭ ଲାଭାନିଆଙ୍କୁ ନେଇ ଗଠିତ ହାଇକୋର୍ଟ ଖଣ୍ଡପୀଠ ମଙ୍ଗଳବାର ଉପରୋକ୍ତ ରାୟ ଦେଇଛନ୍ତି । ଅପରପକ୍ଷରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଚୂଡାନ୍ତ କରିବାକୁ କମିଶନ ଗଠନ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଶନିବାର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ପୌର ନିର୍ବାଚନକୁ ୧୫ ଦିନ ପାଇଁ ସ୍ଥଗିତ ରଖାଯାଇଥିବାବେଳେ ମାମଲାର ପରବର୍ତ୍ତୀ ଅବକାଶକାଳୀନ ଖଣ୍ଡପୀଠରେ କରାଯିବ ବୋଲି କୁହାଯାଇଛି । ରାଜ୍ୟ ସରକାର ଚଳିତମାସ ପ୍ରାରମ୍ଭରେ ୧୭ଟି ମ୍ୟୁନିସପାଲ କର୍ପୋରେସନର ମେୟର ପଦ, ୨୦୦ ମ୍ୟୁନିସିପାଲିଟୀର ଅଧ୍ୟକ୍ଷ ପଦ ଏବଂ ୫୪୫ ନଗର ପଞ୍ଚାୟତ ସଦସ୍ୟ ପଦ ପାଇଁ ସଂରକ୍ଷିତ ଆସନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏଥିମଧ୍ୟରୁ ୪ଟି ସହର (ଅଲିଗଡ, ମଥୁରା-ବୃନ୍ଦାବନ, ମିରଟ୍ ଓ ପ୍ରୟାଗରାଜ)ର ମେୟର ପଦ ସମେତ ୫୪ଟି ମ୍ୟୁନିସିପାଲିଟୀ ଅଧ୍ୟକ୍ଷ ପଦ ଏବଂ ୧୪୭ଟି ନଗର ପଞ୍ଚାୟତ ସଦସ୍ୟ ପଦ ଓବିସି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ଦର୍ଶାଯାଇଥିଲା । ବର୍ତ୍ତମାନ ହାଇକୋର୍ଟ ଏତାଦୃଶ ରାୟ ପ୍ରକାଶ ପାଇବାରେ ବିରୋଧୀ ଦଳଗୁଡିକ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅନ୍ୟ ପଛୁଆ ବର୍ଗଙ୍କୁ ସଂରକ୍ଷଣ ବ୍ୟବସ୍ଥାରୁ ହଟାଇବାକୁ ଯୋଗୀ ସରକାର ଚକ୍ରାନ୍ତ କରୁଥିବା ସେମାନେ କହିଛନ୍ତି ।

Comments are closed, but trackbacks and pingbacks are open.