“ଭାରତ: ଏକ ସ୍ୱର୍ଣ୍ଣିମ ଯାତ୍ରା” ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

43

ସମସ୍ତେ ନିଜର ଦାୟିତ୍ୱ ପାଳନ କଲେ ସମାଜର ଅଧିକାର ସୁରକ୍ଷିତ ରହିବ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୦ ୪:  ଆମେ ସମସ୍ତେ ନିଜର ଦାୟିତ୍ୱ ପାଳନ କଲେ ସମାଜର ଅଧିକାର ସୁରକ୍ଷିତ ରହିବ ବୋଲି ରବିବାର ନୂଆଦିଲ୍ଲୀ ଠାରେ ବିଶିଷ୍ଟ ଲେଖକ ଶ୍ରୀ ଶଶାଙ୍କ୍ ମଣିଙ୍କ ଦ୍ୱାରା ଲିଖିତ ପୁସ୍ତକ “ଭାରତ : ଏକ ସ୍ୱର୍ଣ୍ଣିମ ଯାତ୍ରା”ର ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପୁସ୍ତକର ଲେଖକ ଗତ ୨୫ ବର୍ଷ ଧରି ରେଳ ଯୋଗେ ନିଜର ଯାତ୍ରା ମାଧ୍ୟମରେ ଯୁବବର୍ଗଙ୍କ ଭାରତ ଜାଗ୍ରତ ଯାତ୍ରାର ଜୀବନ୍ତ ଅନୁଭୂତିକୁ ପୁସ୍ତକର ରୂପ ଦେଇଛନ୍ତି । ଜନସାଧାରଣଙ୍କ ସ୍ୱାର୍ଥରେ ଲେଖକଙ୍କ ଏହି ଅନନ୍ୟ ଯାତ୍ରା ପ୍ରଶଂସନୀୟ । ଯାତ୍ରାରୁ ଜ୍ଞାନ ବଢ଼େ । ଲେଖକ ଜଣେ ନାଗରିକ ଭାବେ ଯୁବବର୍ଗଙ୍କୁ ଦେଶର ଆତ୍ମା ସହ ଅବଗତ କରାଇବା, ସମ୍ବାଦ ଏବଂ ସୃଜନଶୀଳତା ମାଧ୍ୟରେ ଦେଶକୁ ଆଗକୁ ନେବା ପାଇଁ ନିଜ ଦାୟିତ୍ୱକୁ ସୂଚାରୁରୂପେ ପାଳନ କରିଛନ୍ତି । ସମାଜର ଅଧିକାର ସେବେ ସୁରକ୍ଷିତ ରହିବ ଯେବେ ଆମେ ନିଜର ଦାୟିତ୍ୱ ପାଳନ କରିବା ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଗ୍ରାମାଞ୍ଚଳରେ ଥିବା ଜ୍ଞାନକୁ ଆଧୁନିକ ଢ଼ଙ୍ଗରେ ଦେଶ ସାମ୍ନାରେ ଉପସ୍ଥାପନ କରିବାର ଆବଶ୍ୟକତା ରହିଛି । ଦେଶର ବିବିଧ ସଂସ୍କୃତି, ଭାଷା ବିବିଧତା ଏବଂ ଆତ୍ମାକୁ ବୁଝିବା ପାଇଁ “ଭାରତ: ଏକ ସ୍ୱର୍ଣ୍ଣିମ ଯାତ୍ରା” ଭଳି ପୁସ୍ତକ ଅନ୍ୟ ଭାରତୀୟ ଭାଷାରେ ମଧ୍ୟ ପ୍ରକାଶିତ ହେବା ଜରୁରୀ ଅଟେ । ଯେବେ ଦେଶର ସମସ୍ତ ନାଗରିକମାନେ ଆର୍ଥିକ ସମ୍ପନ୍ନତାର ସହ ଆଗକୁ ବଢ଼ିବେ ସେବେ ଦେଶ ବିକଶିତ ହେବ । ଦେଶର ନାଗରିକଙ୍କ ମଧ୍ୟରେ ଆମ ପାଖରେ ଥିବା ସମ୍ବଳର ଉପଯୋଗ କରି ନିଜକୁ ସମୃଦ୍ଧ କରିବାର ଇଚ୍ଛାକୁ ବିକଶିତ କରିବାକୁ ହେବ । ବସୁଧୈବ କୁଟୁମ୍ବକମ୍ ଭାରତର ସଂସ୍କୃତି । ଏଥିପାଇଁ ଯେତେବେଳେ ଭାରତ ବିକଶିତ ହେବ ତେବେ ସମ୍ପୂର୍ଣ୍ଣ ବିଶ୍ୱର ବିକାଶକୁ ଗତି ମିଳିବ ।

ଭାରତକୁ ପୁନର୍ବାର ବୈଭବଶାଳୀ, ଜ୍ଞାନ, ଉଦ୍ୟମିତା, ଆତ୍ମବିଶ୍ୱାସକୁ ଉଜ୍ଜୀବିତ କରିବା ଦିଶାରେ ଜାତୀୟ ଶିକ୍ଷାନୀତି ଏକ ସଫଳ ଉଦ୍ୟମ । ଏହା ଏକ ନୀତି ଦସ୍ତାବିଜ ନୁହେଁ ବରଂ ଭାରତକୁ ବିକଶିତ ଦେଶ କରିବା ଓ ଆମର ଯୁବବର୍ଗଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା, ଦାୟିତ୍ୱବୋଧତା, ବୈଶ୍ୱିକ ନାଗରିକ ପ୍ରସ୍ତୁତ କରିବାର ରୋଡମ୍ୟାପ୍। ଆଜି ଉନ୍ମୋଚିତ ପୁସ୍ତକ ସମାଜର ଯୁବ ଲେଖକଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Comments are closed, but trackbacks and pingbacks are open.