ଶ୍ରୀମନ୍ଦିରରେ ଆଜିଠୁ ମହାକାର୍ତ୍ତିକ ନୀତି

18

ପୁରୀ: ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତିର ଶୁଭାରମ୍ଭ ହୋଇଛି। ଏହି ପବିତ୍ର ଅବସରରେ ଆଜିଠାରୁ ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥ ରାଧାଦାମୋଦର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ଏହି ଏକମାସବ୍ୟାପୀ ସ୍ୱତନ୍ତ୍ର ନୀତିକାନ୍ତି ଅଧୀନରେ ବାଳଧୂପ ଏବଂ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ। କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଏହି ରାଧାଦାମୋଦର ବେଶ ଅତ୍ୟନ୍ତ ମନୋରମ, ଆକର୍ଷଣୀୟ ଓ ଭକ୍ତିଭାବପୂର୍ଣ ଅଟେ। ଏହି ସ୍ୱତନ୍ତ୍ର ବେଶ ସମୟରେ ଠାକୁରଙ୍କୁ ବାଳଧୂପ ଲାଗି କରାଯାଇଥାଏ। ଏହି ପ୍ରସିଦ୍ଧ ଭୋଗ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡ଼ିଆ, ଖୁଦ, ଚାଉଳିଆ, ସେଓ, କମଳା, କଦଳୀ, କାକୁଡ଼ି ଏବଂ ପଇଡ଼ ଆଦି ବିଭିନ୍ନ ଦ୍ରବ୍ୟ ଭୋଗ ହୋଇଥାଏ। ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତଧାରୀ ଏବଂ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ଏବଂ ଭକ୍ତମାନଙ୍କୁ ସୁରୁଖୁରୁରେ ଦର୍ଶନ କରାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଓ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ, ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଗୋଷାଣି ଯାତ୍ରା ପାଇଁ ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି, ଯେଉଁଥିରେ ସିଂହଦ୍ୱାର ନିକଟରେ ସାତ ସାହିର ୪୨ କନ୍ଦିର ପ୍ରାୟ ୫୦ଟି ଆକର୍ଷଣୀୟ ମେଢ଼ ଏକାଠି ହେବାର କାର୍ଯ୍ୟକ୍ରମ ରହିଛି।

Comments are closed, but trackbacks and pingbacks are open.