ଚନ୍ଦ୍ର ପୃଷ୍ଠରେ ମଣିଷ

47

୧୯୬୯ ମସିହା ଜୁଲାଇ ୨୦ ତାରିଖ, ମହାକାଶ ଅଭିଯାନ ଇତିହାସର ଏକ ଅବିସ୍ମରଣୀୟ ଦିବସ । ଏହି ଦିନ ନିଲ୍ ଆଲ୍‌ଡ଼େନ ଆର୍ମଷ୍ଟ୍ରଙ୍ଗ ପୃଥିବୀର ପ୍ରଥମ ବ୍ୟକ୍ତି ରୂପେ ଚନ୍ଦ୍ର ପୃଷ୍ଠରେ ପାଦ ଥାପିବାର ଅନନ୍ୟ ସଫଳତା ହାସଲ କରିଥିଲେ । ଅବଶ୍ୟ ଆମେରିକାର ଏହି ମହାକାଶଚାରୀ ଗ୍ରୀନ୍‌ୱିଚ ମିନ୍ ଟାଇମ୍ ଅନୁଯାୟୀ ରାତି ୮ଟା୧୭ ମିନିଟ୍‌ରେ ଚନ୍ଦ୍ର ପୃଷ୍ଠରେ ପଦାର୍ପଣ କରିବାର ୧୯ ମିନିଟ୍ ପରେ ଏଡ୍‌ୱିନ ଇ ଆଲଡ୍ରିନ୍ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇ ଥିଲେ । ସେମାନେ ସେଠାରେ ପ୍ରଥମେ ଆମେରିକାର ଜାତୀୟ ପତାକା ପୋତିବା ପରେ ସେଠାରୁ ମାଟି ଓ ପଥର ସଂଗ୍ରହ କରିଥିଲେ ।
ଚନ୍ଦ୍ରରେ ଅବତରଣ କରିବା ପରେ ସେମାନେ ନିଜର ଅନୁଭୂତି ସମ୍ପର୍କରେ ଅବିଳମ୍ବେ ମହାକାଶ କେନ୍ଦ୍ରକୁ ପଠାଇ ଥିବା ବାର୍ତ୍ତାରେ କହିଥିଲେ ଯେ, ଚନ୍ଦ୍ରର ଉପର ଅଂଶ ଧୂଳିଆ ହୋଇଥିବାରୁ ତାଙ୍କ ଜୋତା ପ୍ରାୟ ଇଞ୍ଚେ ଗଭୀରକୁ ପଶିଯାଉଛି । ତେବେ ଚାଲିବା ପାଇଁ ବିଶେଷ ଅସୁବିଧା ହେଉନାହିଁ ।
ଏହି ଅଭିଯାନରେ ମୋଟ ୩ ଜଣ ମହାକାଶଚାରୀ ସାମିଲ ହୋଇଥିଲେ । ସେମାନଙ୍କୁ ନେଇ ଜୁଲାଇ ୧୬ରେ ଆପୋଲ-୧୧ ମହାକାଶଯାନ ଆମେରିକାର କେପ୍ କେନେଡ଼ି ମହାକାଶ କେନ୍ଦ୍ର ଛାଡ଼ିଥିଲା । ଆପୋଲ ଚନ୍ଦ୍ର ଚାରିପାଖେ ୧୨ ଥର ପରିକ୍ରମା କରିବା ପରେ ସେଥିରୁ ଲୁନାର ମୋଡ଼ୁଲ ‘ଇଗଲ’ ଅଲଗା ହୋଇ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା । ‘ଇଗଲ’ରେ ଯାଇ ଆର୍ମଷ୍ଟ୍ରଙ୍ଗ ଓ ଆଲଡ୍ରିନ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇ ଥିବାବେଳେ ସେମାନଙ୍କ ସାଥୀ ମାଇକେଲ କଲିନ୍ସ ମୂଳଯାନ ଆପୋଲରେ ରହିଥିଲେ । ମହାକାଶରେ ପ୍ରାୟ ୧୯୫ ଘଣ୍ଟା ରହିବା ପରେ ଆପୋଲ ନିରାପଦରେ ପୃଥିବୀକୁ ଫେରି ଆସିଥିଲା ।

Comments are closed, but trackbacks and pingbacks are open.