‘ମା କାଳୀ’ ଟ୍ରଲର ବୁଡ଼ି ୯ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ୬ ଏବେ ବି ନିଖୋଜ

30

ବାଲେଶ୍ବର: ପଶ୍ଚିମବଙ୍ଗର ଦୀଘାଠାରୁ ପ୍ରାୟ ଶହେ କିମି ଦୂର ବଙ୍ଗୋପସାଗର ମଧ୍ୟରେ ଥିବା କାକଦ୍ବୀପ ବକଖାଲିଠାରୁ ୧୬ କିମି ଦୂର ରକ୍ତେଶ୍ବରୀ ବାଲିଚଢ଼ ପାଖରେ ‘ମା କାଳୀ’ ଟ୍ରଲର୍‌ଟି ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି । ଏଥିରେ ଥିବା ୧୫ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୯ ଜଣଙ୍କ ମୃତ ଶରୀର ମିଳିଥିବାର ଖବର ମିଳିଛି । ସୂଚନା ଅନୁଯାୟୀ, ଗତ ଜୁଲାଇ ୨ ତାରିଖ ( ମଙ୍ଗଳବାର) ଦିନ ପଶ୍ଚିମବଙ୍ଗ ଶଙ୍କରପୁର ମାଛଧରା ବନ୍ଦରରୁ ୧୫ ଜଣ ମତ୍ସ୍ୟଜୀବୀଙ୍କୁ ନେଇ “ମା କାଳୀ” ନାମକ ଏକ ମାଛ ଧରା ଟ୍ରଲର, ସମୁଦ୍ର ମଧ୍ୟକୁ ଯାଇଥିଲା । ମାଛ ମାରିବା ସମୟରେ ଟ୍ରଲରଟି ମଝି ସମୁଦ୍ରରେ ଓଲଟି ପଡ଼ିଥିଲା । ଏହି ଟ୍ରଲରରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଲୁଦା ଗାଁର ତନି ଭାଇ ରବୀନ୍ଦ୍ର ମାଝୀ, ଜୟରାମ ମାଝୀ ଏବଂ ଜଗନ୍ନାଥ ମାଝୀ ଥିଲେ ଏବଂ ଏମାନଙ୍କ ସହ ଅନ୍ୟ ୧୨ ଜଣ ମତ୍ସ୍ୟଜୀବୀ ପଶ୍ଚିମବଙ୍ଗରୁ ଥିଲେ । କାକ୍ବଦୀପ ରକ୍ତେଶ୍ବରୀ ବାଲିଚଢ଼ ପାଖରେ ଟ୍ରଲରଟି ଓଲଟି ପଡ଼ିଥିଲା । ତଟସୁରକ୍ଷା ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ନିଖୋଜ ୬ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ତଟ ସୁରକ୍ଷା ବାହିନୀ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନ ଚେଷ୍ଟା ଚଳାଇଛନ୍ତି । ଓଲଟି ପଡ଼ିଥିବା ଟ୍ରଲରଟି ରବିବାର ଅପରାହ୍ନରେ ଦକ୍ଷିଣ ୨୪ ପରଗଣାର ବକ୍‌ଖାଲି ଉପକୂଳରୁ ପ୍ରାୟ ୩୫ କିଲୋମିଟର ଦୂରରେ ବାଘେରଚର ଅଞ୍ଚଳର ଚୁଲକାଠି ଜଙ୍ଗଲ ନିକଟରେ ଠାବ କରାଯାଇଥିଲା ।

Comments are closed, but trackbacks and pingbacks are open.