ବିଶ୍ୱକପ ହକିରେ ୨ ଓଡ଼ିଆ

47

ନିକଟରେ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଥିଲା । ଜାତୀୟ ଦଳରେ ସୁନ୍ଦରଗଡ଼ ମାଟିର ତାରକା ଅମିତ ରୋହିଦାସ ଓ ନୀଲମ ସଞ୍ଜୀପ ଖେସ୍‌ ସ୍ଥାନ ପାଇବା ପ୍ରତ୍ୟେକଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର କଥା । ଅମିତ ୨୦୧୩ ମସିହାରୁ ଅନ୍ତର୍ଜାତୀୟସ୍ତରରେ ଚମତ୍କାର ପ୍ରଦର୍ଶନ ଜାରି ରଖିଥିବା ବେଳେ ସଞ୍ଜୀପଙ୍କ ୬ ବର୍ଷର ଅନ୍ତର୍ଜାତୀୟ କ୍ରୀଡ଼ା ଜୀବନ ମଧ୍ୟ ବେଶ୍‌ ଆକର୍ଷଣୀୟ । ହକି ପଡ଼ିଆରେ ଉଭୟେ ନିଜର ପରାକାଷ୍ଠା ପ୍ରଦର୍ଶିତ କରିସାରିଥିବା ବେଳେ ଏବେ ଭାରତୀୟ ଦଳର ନିର୍ଭରଯୋଗ୍ୟ ସଦସ୍ୟ ଭାବେ ପରିଗଣତ । ତେବେ ଉଭୟଙ୍କ ଆଦ୍ୟ ଜୀବନ ପ୍ରାୟ ସମାନ । ଉଭୟେ ଘୋର୍‌ ଆର୍ଥିକ ଅନଟନ ଭିତରେ ଦିନ କାଟିଛନ୍ତି । କଅଁଳ ବୟସରେ ବାପା-ମାଙ୍କ ସହ ଚାଷ ଜମିକୁ ଯାଇ ସହଯୋଗ କରୁଥିଲେ । ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ଛୋଟ ପିଲାଙ୍କ ଭଳି ସେମାନେ ବି ହକି ଖେଳିବାକୁ ଇଚ୍ଛା ଜାହିର କରିଥିଲେ । ଦାରିଦ୍ର୍ୟ ତାଡ଼ନାରେ ସେମାନଙ୍କ ପ୍ରତିଭା ଲୁଚି ଯିବା ପୂର୍ବରୁ କିନ୍ତୁ ସେମାନେ ରାଜ୍ୟ କ୍ରୀଡ଼ା ଛାତ୍ରାବାସର ପ୍ରଶିକ୍ଷକଙ୍କ ନଜରକୁ ଆସିଯାଇଥିଲେ । ଅମିତ ପାନପୋଷସ୍ଥିତ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ଓ ସଞ୍ଜୀପ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସରେ ବିଧିବଦ୍ଧ ତାଲିମ ନେଇଥିଲେ । ଏହା ପରଠାରୁ ଆଉ ଉଭୟେ ପଛକୁ ଫେରି ଚାହିଁନାହାନ୍ତି I

ହକି କିଂବଦନ୍ତି ଦିଲୀପ ତିର୍କିଙ୍କ ଗାଁ ସଉନାମୁରାରେ ଜନ୍ମିତ ଅମିତ ରୋହିଦାସଙ୍କ ସଂଘର୍ଷ ନିଶ୍ଚିତ ଭାବେ ଲୋମହର୍ଷଣକାରୀ । ବାପା ଗୋପାଳ ରୋହିଦାସ ଦିନ ମଜୁରିଆ ଥିବାବେଳେ ମା’ ଗୋଳାପି ଗୃହିଣୀ । ନିଜସ୍ୱ ଚାଷ ଜମି ନଥିବାରୁ ପର ଜମିରେ ଚାଷ କରୁଥିଲେ, ମୂଲ ଲାଗୁଥିଲେ । ବାପା-ମା ଦିନ ମଜୁରିଆ ଭାବେ କାମ କରି କଷ୍ଟେମଷ୍ଟେ ଚାରି ପୁଅ ଝିଅଙ୍କ ପାଠପା, ଖେଳରେ ବ୍ୟୟ କରୁଥିଲେ କିନ୍ତୁ ଆୟ ପର୍ଯ୍ୟାପ୍ତ ନଥିଲା । ଏମିତିକି ପରିବାରର ଆବଶ୍ୟକତା ମେଣ୍ଟାଇବାକୁ ଅମିତଙ୍କ ବାପା ଗୋଆକୁ ଦାଦନ ଖଟିବାକୁ ବି ଯାଉଥିଲେ । ଅମିତ ଗାଁ ପଡ଼ିଆରେ ହିଁ ହକି ଷ୍ଟିକ୍‌ ଧରି ଖେଳିବା ଆରମ୍ଭ କରିଥିଲେ । ୨୦୦୪ ମସିହାରେ ସେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଯୋଗଦେବା ପରେ, କ୍ରୀଡ଼ା ଜୀବନ ନୂଆ ମୋଡ଼ ନେଇଥିଲା । ଜାତୀୟ ଉପକନିଷ୍ଠ, କନିଷ୍ଠ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ପରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୦୯ ଉପକନିଷ୍ଠ ଏସିଆ କପ୍ରେ ଭାଗନେବା ସହ ୨୦୧୨ ଏସିଆନ୍‌ ଚାମ୍ପିଅନସିପରେ ଭାରତୀୟ ଦଳରେ ସାମିଲ ହୋଇଥିଲେ ।

Comments are closed, but trackbacks and pingbacks are open.