ପୁରୀ ଅଲାରପୁରର ୧୨ତମ କୁମାର ମହୋତ୍ସବରେ କେନ୍ଦ୍ରମନ୍ତ୍ରୀ  

43

ପୁରୀ: ପୁରୀ ଜିଲ୍ଲା ଅଲାରପୁର ଠାରେ ହରଦୂର୍ଗା ୟୁଥ୍ କ୍ଲବ ତରଫରୁ ଆୟୋଜିତ ୧୨ତମ ‘କୁମାର ମହୋତ୍ସବ’ରେ ଯୋଗଦେଇ ପୁରୀ ଓ ଅଲାରପୁରର ହସ୍ତଶିଳ୍ପକୁ ବିଶ୍ୱ ବଜାରରେ ପହଞ୍ଚାଇବାର ଦାୟିତ୍ୱ ନେବା ପାଇ ଯୁବଶକ୍ତି ଆଗକୁ ଆସିବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କୁମାର ପୂର୍ଣ୍ଣିମା ଉତ୍ସବ ଉପଲକ୍ଷେ ହରଦୂର୍ଗା ୟୁଥ୍ କ୍ଲବର ସଦସ୍ୟ ଓ ଅଲାରପୁର ଗାଁର ଯୁବକ ମାନଙ୍କ ଦ୍ୱାରା ପ୍ରସ୍ତୁତ ସଙ୍ଗୀତ ଭିଡ଼ିଓ ପ୍ରଶଂସନୀୟ । ଗାଁର କଳା, କାରିଗରୀ, ସାମାଜିକ ଜୀବନୀ ଓ ଚାଲିଚଳଣୀର ଚିତ୍ରକୁ ନେଇ ପ୍ରସ୍ତୁତ ଭିଡ଼ିଓଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ମନକୁ ଛୁଇଁବା ଭଳି ।  

ସେ ଆହୁରି କହିଛନ୍ତି ଯେ ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ୫ଜି ଟେକ୍ନୋଲୋଜି ବିକଶିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ଗାଁକୁ ହାଇସ୍ପିଡ ଇଣ୍ଟରନେଟ୍ ସହ ଯୋଡ଼ିବାର କଳ୍ପନା ରଖିଛନ୍ତି । ଏହା ଦ୍ୱାରା ପୁରୀ ଓ ଅଲାରପୁର ଭଳି ଗାଁର ହସ୍ତଶିଳ୍ପକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବ । ଏଥିପାଇଁ ଯୁବପିଢି ଦାୟିତ୍ୱ ନେବା ଦରକାର । ଏହାବ୍ୟତିତ ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତର କଳ୍ପନା ରଖିଛନ୍ତି । ଏ ଦିଗରେ ଅଲାରପୁରର ଯୁବଶକ୍ତିଙ୍କ ଭାବନା ବିକଶିତ ଭାରତକୁ ସାକାର କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କଳା, ସାହିତ୍ୟ, ସମାଜସେବା ସମେତ କ୍ଷେତ୍ରରେ ବିଶେଷ ଅବଦାନ ରଖୁଥିବା ସ୍ଥାନୀୟ ଅଞ୍ଚଳର ପ୍ରତିଭାବାନ ଯୁବଶକ୍ତି ଓ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଥିଲେ । ସମ୍ମାନିତ ବ୍ୟକ୍ତିବିଶେଷଙ୍କ ଅବଦାନ ଆଗାମୀ ପିଢିକୁ ପ୍ରେରିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

Comments are closed, but trackbacks and pingbacks are open.