ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ

24

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଦୁଇ ଜଣ ବରିଷ୍ଠ ଅଧିକାରୀ ଚୌଦ୍ୱାର ମଣ୍ଡଳ କାରାଗାରର ଅଧୀକ୍ଷକ ସୁଜିତ ରାଉଳ ଏବଂ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳଙ୍କୁ ନିଲମ୍ୱିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଏହି ଦୁଇ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ସୂଚନା ମୁତାବକ, ଚୌଦ୍ୱାର ମଣ୍ଡଳ କାରାଗାରରୁ ଦୁଇ ବିହାରୀ କଏଦୀ ଫେରାର ହେବା ମାମଲାରେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ ରାଉଳ ନିଲମ୍ବିତ ହୋଇଛନ୍ତି । ବର୍ତ୍ତମାନ ସେ ଗିରଫ ହୋଇ ଜେଲରେ ଅଛନ୍ତି । ଚଳିତ ମାସ ୨୦ ତାରିଖରେ, ସରକାରୀ ରେକର୍ଡ ଓ ଜେଲ୍ ମିନିଟ୍ ବୁକରେ ଜାଲିଆତି ତଥା ବିହାରୀ କଏଦୀ ଫେରାର ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ୨୦୨୫ ଅକ୍ଟୋବର ୨ ତାରିଖରେ ଚୌଦ୍ୱାର ଜେଲରୁ ବିହାରର ଦୁଇ ଜଣ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିଲେ । ଜେଲରୁ କଏଦୀ ଫେରାର ହେବା ଦିନ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ ରାଉଳ ନିଜେ ଗେଟରେ ଉପସ୍ଥିତ ନଥିଲେ । କିନ୍ତୁ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ସେ ଜେଲ୍ ଗେଟ ରେଜିଷ୍ଟରରେ ସେଦିନ ନିଜକୁ ଉପସ୍ଥିତ ଦେଖାଇବାକୁ ଚେଷ୍ଟା କରିଥିଲେ । ସେ ତତ୍କାଳୀନ ଜେଲର୍ ସନ୍ତୋଷିନୀ ଦାଶଙ୍କ ଦସ୍ତଖତ ଜାଲିଆତି କରି ନକଲି ରିପୋର୍ଟ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଥିଲା। ତତ୍କାଳୀନ ଜେଲର ସନ୍ତୋଷିନୀ ଦାଶ ଚୌଦ୍ୱାର ଥାନାରେ ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୋଧରେ ଏତଲା ଦେଇଥିଲେ । ସେହିପରି, ସେହିପରି ମହିଳା ସହକର୍ମୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ ଗିରଫ ହୋଇଛନ୍ତି । ଗତ ୧୮ ତାରିଖରେ ସହିଦ ନଗର ଥାନା ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି । ସେ ରାତିରେ ଜଣେ ମହିଳା କର୍ମଚାରୀଙ୍କ ଘରେ ଭିତରେ ପଶି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।

Comments are closed, but trackbacks and pingbacks are open.