ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍ତ୍ରୀ ଆଖି ଆଗରେ ଚାଲିଗଲା ସ୍ୱାମୀଙ୍କ ଜୀବନ

16

ଭୁବନେଶ୍ବର: ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ହସଖୁସିର ସଂସାର ଭାଙ୍ଗିରୁଜି ଚୁରମାର୍ ହୋଇଯାଇଛି। ସ୍ୱାମୀ-ସ୍ତ୍ରୀଙ୍କ ଏକାଠି ଯାତ୍ରା ପାଲଟିଯାଇଛି ଜୀବନର ଶେଷ ଯାତ୍ରା। ବାଇକରେ ଯାଉଥିବା ବେଳେ ଏକ ଦ୍ରୁତଗାମୀ ପିକଅପ୍ ଭ୍ୟାନ୍ ଧକ୍କା ଦେବା ଫଳରେ ସ୍ତ୍ରୀଙ୍କ ଆଖି ଆଗରେ ସ୍ୱାମୀଙ୍କର କରୁଣ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ସ୍ତ୍ରୀ ଜଣକ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ହଳଦିଆ ଟାଙ୍ଗିରି ନିକଟରେ ଏହି ଦୁର୍ଘଟଣା ଘଟିଛି। ଦମ୍ପତି ଜଣକ ବାଇକ୍‌ରେ ଯାଉଥିବା ସମୟରେ ଏକ ପିକଅପ୍ ଭ୍ୟାନ୍ ସେମାନଙ୍କୁ ପଛରୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଦୁହେଁ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସ୍ୱାମୀଙ୍କ ଜୀବନ ଚାଲିଯାଇଥିଲା। ଗୁରୁତର ଆହତ ସ୍ତ୍ରୀଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେ ଏବେ ଜୀବନ-ମରଣ ସହ ସଂଘର୍ଷ କରୁଛନ୍ତି। ଖବର ପାଇ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିଦ୍ୱୟକୁ ନିଜ ଜବତକୁ ନେଇଛି। ଗାଡ଼ିର ଦ୍ରୁତଗତି କିମ୍ବା ଅସାବଧାନତା-କେଉଁ କାରଣରୁ ଏହି ଅଘଟଣ ଘଟିଲା, ସେ ନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଏହି ମର୍ମନ୍ତୁଦ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇଦେବା ସହ କେନ୍ଦୁଝରରେ ସଡ଼କ ସୁରକ୍ଷା ଓ ବେପରୁଆ ଗାଡ଼ି ଚାଳନା ଉପରେ ପୁଣିଥରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed, but trackbacks and pingbacks are open.