ଟାଇମ୍‍ସ ହାୟର ଏଜୁକେସନ ସଷ୍ଟେନେବିଲିଟି ଇମ୍ପାକ୍ଟ ରାଙ୍କିଂ ୨୦୨୬ କିସ୍‍ର ପ୍ରଭାବୀ ପ୍ରଦର୍ଶନ

22

ଭୁବନେଶ୍ୱର, ୨୫।୬: ଟାଇମ୍‍ସ ହାୟର ଏଜୁକେସନ୍ ସଷ୍ଟେନେବିଲିଟି ଇଂପାକ୍ଟ ରାଙ୍କିଂ ୨୦୨୬ରେ ଭାରତର ସମସ୍ତ ସରକାରୀ ଏବଂ ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ କିସ୍‍ ପ୍ରଭାବୀ ପ୍ରଦର୍ଶନ କରିଛି । କିସ୍‍ ବିଶ୍ୱବିଦ୍ୟାଳୟ ଚଳିତବର୍ଷ ପ୍ରଥମ ଥର ପାଇଁ ସଷ୍ଟେନେବିଲିଟି ଇମ୍ପାକ୍ଟ ରାଙ୍କିଂରେ ଅଂଶଗ୍ରହଣ କରି ୪୦୧–୬୦୦ ଗ୍ଲୋବାଲ୍ ବ୍ୟାଣ୍ଡରେ ସ୍ଥାନ ପାଇ ରାଜ୍ୟର ଗୌରବ ଆଣିଛି । ଏହା ସହ ଭାରତରେ ସାମଗ୍ରିକ ଭାବରେ ୭ମ ସ୍ଥାନ ହାସଲ କରିଛି । ପ୍ରଥମ ଥର ପାଇଁ ଏହି ପ୍ରତିଷ୍ଠିତ ଗ୍ଲୋବାଲ୍ ରାଙ୍କିଂରେ ଅଂଶଗ୍ରହଣ କରି କିସ୍‍ ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‍ଡିଜି) ରେ ସ୍ୱୀକୃତି ପାଇଛି।

ଏହି ତାଲିକାର ଗୁଣାତ୍ମକ ଶିକ୍ଷା ବର୍ଗରେ କିସ୍‍ ବିଶ୍ୱ ରାଙ୍କର ୯୦ ସ୍ଥାନରେ ରହିଥିବା ବେଳେ ଲିଙ୍ଗ ସମାନତାରେ ୬୦ ସ୍ଥାନ ହାସଲ କରିଛି। ସେହିପରି ଦାରିଦ୍ର୍ୟ ଦୂରୀକରଣରେ ୧୦୧–୨୦୦ ଗ୍ଲୋବାଲ୍ ବ୍ୟାଣ୍ଡରେ ସ୍ଥାନ ପାଇଥିବା ବେଳେ ଅସମାନତା ହ୍ରାସ ପାଇଁ ୪୦୧–୬୦୦ ବ୍ୟାଣ୍ଡରେ ମଧ୍ୟ ସ୍ଥାନ ପାଇଛି। ଜନଜାତି ଓ ଅବହେଳିତ ଛାତ୍ରଛାତ୍ରୀଙ୍କୁ ବିନାଦେୟରେ ସାମଗ୍ରିକ ଶିକ୍ଷା ପ୍ରଦାନ କରି ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ କିସ୍‍ର ଦୀର୍ଘକାଳୀନ ପ୍ରତିବଦ୍ଧତା ପାଇଁ ଏହି ରାଙ୍କିଂ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଟାଇମ୍‍ସ ହାଇୟର ଏଜୁକେସନ୍‍ ବିଶ୍ୱବିଦ୍ୟାଳୟଗୁଡ଼ିକର ଗ୍ଲୋବାଲ୍‍ ରାଙ୍କିଂ କରିବା ବ୍ୟତୀତ ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ ଆଧାରରେ କେଉଁ ସବୁ ବିଶ୍ୱବିଦ୍ୟାଳୟ କେତେ ପରିମାଣରେ ସାମାଜିକ ପ୍ରଭାବ ସୃଷ୍ଟି କରିଛନ୍ତି ତା ଉପରେ ମଧ୍ୟ ରାଙ୍କିଂ କରିଥାଏ।

ସେହି ଆଧାରରେ କିସ୍‍ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ କିସ୍‍ ଭଲ ରାଙ୍କ ପ୍ରଦର୍ଶନ କରିଛି। ଏଥିରେ ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି କିସ୍‍ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଇମ୍ପାକ୍ଟ ରାଙ୍କିଂରେ ଚମତ୍କାର ପ୍ରଦର୍ଶନ କରିଛି। ଏହି ମାନ୍ୟତା ଅନ୍ତର୍ଭୁକ୍ତି ଶିକ୍ଷା, ସାମାଜିକ ପରିବର୍ତ୍ତନ ଏବଂ ସ୍ଥାୟୀ ବିକାଶ ପ୍ରତି କିସ୍‍ ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି।

Comments are closed, but trackbacks and pingbacks are open.