ଗୋ ମାଫିଆଙ୍କୁ ସୂଚନା ଦେଇ ଫସିଲେ ୩ ପୁଲିସ କର୍ମଚାରୀ

26

ମୟୁରଭଞ୍ଜ: ଗୋ ମାଫିଆଙ୍କୁ ପୋଲିସ ରେଡ୍ ସମ୍ପର୍କରେ ପୂର୍ବରୁ ସୂଚନା ଦେଇ ଫସିଗଲେ ପୋଲିସ ଏଏସଆଇ, କନଷ୍ଟେବଳ ଏବଂ ହୋମଗାର୍ଡ । ମୟୂରଭଞ୍ଜ ଏସପି ଏହି ତିନି କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ​ଏଏସଆଇ ରଣଜିତ ନାଏକ,​ କନେଷ୍ଟବଳ ଆଶିଷ ନାଏକ ଓ ​ହୋମଗାର୍ଡ ସୁବ୍ରତ ପାଢ଼ୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ମିଳିଥିବା ​ସୂଚନା ଅନୁଯାୟୀ, ଗତ ଜୁନ୍ ୧୩ ତାରିଖରେ ମୟୁରଭଞ୍ଜ ଜିଲ୍ଲାରେ ଗୋ ମାଫିଆ ଓ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଏକ ବଡ଼ ଧରଣର ଚଢ଼ାଉ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଝାରପୋଖରିଆ ଅଞ୍ଚଳର ଜଣେ ହାଇପ୍ରୋଫାଇଲ୍ ଗୋ ମାଫିଆଙ୍କ ଘରେ ଚଢ଼ାଉ କରିବାକୁ ପୋଲିସ ପ୍ରସ୍ତୁତ ହେଉଥିବା ବେଳେ ଥାନାର କିଛି କର୍ମଚାରୀ ସମ୍ପୃକ୍ତ ମାଫିଆଙ୍କୁ ପୂର୍ବରୁ ଗୁପ୍ତ ସୂଚନା ଦେଇଦେଇଥିଲେ। ଫଳରେ ପୋଲିସ ସେଠାରେ ପହଞ୍ଚିବା ପୂର୍ବରୁ ହିଁ ମାଫିଆ ଜଣକ ଖସି ପଳାଇବାରେ ସଫଳ ହୋଇଥିଲେ। ​ପୋଲିସ ର ଏହି ବଡ ଧରଣର ରେଡ ଫେଲ୍ ହେବା ପଛର କାରଣ ଖୋଜୁ ଖୋଜୁ ଝାରପୋଖରିଆ ଥାନା ଆଇଆଇସିଙ୍କ ସନ୍ଦେହ ନିଜ କର୍ମଚାରୀଙ୍କ ଉପରକୁ ଯାଇଥିଲା। ବିଭାଗୀୟ ତଦନ୍ତ ପରେ ସ୍ପଷ୍ଟ ହୋଇଥିଲା ଯେ ଏଏସଆଇ ରଣଜିତ ନାଏକ, କନେଷ୍ଟବଳ ଆଶିଷ ନାଏକ ଏବଂ ହୋମଗାର୍ଡ ସୁବ୍ରତ ପାଢ଼ୀ ହିଁ ମାଫିଆଙ୍କୁ ଖବର ଦେଇଥିଲେ । ​ସେ ଦୁଇ ପୋଲିସ କର୍ମଚାରୀଙ୍କୁ ତତ୍କାଳ ନିଲମ୍ବନ କରିବା ସହ ହୋମଗାର୍ଡ ସୁବ୍ରତ ପାଢ଼ୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଓ ତାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଗୃହରକ୍ଷୀ ବାହିନୀର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ମୟୁରଭଞ୍ଜ ଅତିରିକ୍ତ ଏସପି ଦୀପକ ଗୋଛାୟତ ପ୍ରକାଶ କରିଛନ୍ତି ଅପରାଧୀଙ୍କ ସହ ସଲାସୁତୁରା କରୁଥିବା କୌଣସି କର୍ମଚାରୀଙ୍କୁ ଛଡ଼ାଯିବ ନାହିଁ।ଯେଉଁମାନେ ଆଇନର ଗୋପନୀୟତା ଭଙ୍ଗ କରିବେ, ସେମାନଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଜାରି ରହିବ।

Comments are closed, but trackbacks and pingbacks are open.