ରାଜ୍ୟ ସରକାରଙ୍କ କଠୋର ଆଭିମୁଖ୍ୟ ପୁଣି ବିଦା ହେଲେ ୪ ଦୁର୍ନୀତିଖୋର କର୍ମଚାରୀ

101

ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଶାସନ ଅନ୍ତର୍ଗତ ଲଗାତାର ଭାବରେ ଅପାରଗ ଓ ଦୁର୍ନୀତିଖୋର ଙ୍କ ବିରୋଧରେ କଠୋର ହେଉଛନ୍ତି ସରକାର। ବାରମ୍ବାର ଦୁର୍ନୀତି ଅଭିଯୋଗ ଆସିବା ପରେ ଆଜି ପୁଣି ୩ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଛି। ଏହାଛଡ଼ା ଜଣଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ବେଳେ ଦୁଇ କର୍ମଚାରୀଙ୍କ ପେନ୍‌ସନ୍‌ ବନ୍ଦ କରାଯାଇଛି। ବାଧ୍ୟତାମୂଳକ ଅବସର ଦିଆଯାଇଥିବା ତିନି କର୍ମଚାରୀ ହେଉଛନ୍ତି ସମ୍ବଲପୁର ମହାନଗର ନିଗମର କମ୍ୟୁନିଟି ଅର୍ଗାନାଇଜର (ଜଟଣୀ ମ୍ୟୁନିସିପାଲିଟି ଓ ଛତ୍ରପୁର ଏନ୍‌ଏସିର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ) ଲଳିତା କପୁର। ତାଙ୍କ ନାଁରେ ଦୁଇଟି ଦୁର୍ନୀତି ଅଭିଯୋଗ ରହିଛି। ସରକାରୀ ଅର୍ଥ ଆତ୍ମସାତ ସହିତ ଆହୁରି ଅନେକ ଦୁର୍ନୀତି ଅଭିଯୋଗ ତାଙ୍କ ନାଁରେ ରହିଛି।
ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଥିବା ଆଉ ଜଣେ କର୍ମଚାରୀ ହେଉଛନ୍ତି ବେଲପାହାଡ ମ୍ୟୁନିସିପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀ। ଅପାରଗତା ଓ ଅସାଧୁତା ଯୋଗୁ ତାଙ୍କୁ ଅବସର ଦିଆଯାଇଛି। ଠିକ୍‌ ସେହିପରି ଝାରସୁଗୁଡା ମ୍ୟୁନିସିପାଲିଟିର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଛି। ଅପାରଗତା, ଅସାଧୁତା ଓ ଆର୍ଥିକ ଅନିୟମିତତା ପରି ଅଭିଯୋଗ ତାଙ୍କ ନାଁରେ ରହିଛି।
ସେପଟେ ରାଜ୍ୟ ସରକାର ଆଜି ପୁରୀ ଜିଲ୍ଲା ବେତାଲ ଆର୍‌ଆଇ ସର୍କଲର ରାଜସ୍ୱ ନିରୀକ୍ଷକ ମନୋଜ କୁମାର ପରିଡାଙ୍କୁ ବହିଷ୍କୃତ କରିଛନ୍ତି। ଦୁର୍ବ୍ୟବହାର, ବିଶୃଙ୍ଖଳିତ ଅଚରଣ ଓ କର୍ତ୍ତବ୍ୟରେ ଅବହେଳା ଏବଂ ଉଚ୍ଚ ପଦାଧିକାରୀଙ୍କ ନିର୍ଦ୍ଦେଶ ଅବମାନନା ପରି ଅଭିଯୋଗରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି।

ଏହାସହିତ ଓଡ଼ିଶା ପୁଲିସ ସେବା ଅଧିକାରୀ ବଲାଙ୍ଗିରର ପୂର୍ବତନ ଅତିରିକ୍ତ ଏସ୍‌ପି ତଥା ହୋମଗାର୍ଡର ପୂର୍ବତନ ଡିଏସ୍‌ପି ଶ୍ରୀକାନ୍ତ ମିଶ୍ର ଓ ଗଞ୍ଜାମ ବେଲଗୁଣ୍ଠା ବ୍ଲକ୍‌ର ପୂର୍ବତନ ଏଏଫ୍‌ଓ ଏପିଲି ଉଦୟନାଥଙ୍କର ପେନ୍‌ସନ୍‌କୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି। ସେମାନଙ୍କ ନାଁରେ ଥିବା ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ଯୋଗୁ ଏହି ପଦକ୍ଷେପ ନିଆଯାଇଛି। ବର୍ତମାନ ରାଜ୍ୟ ସରକାରଙ୍କ ଏପରି କଠୋର ଆଭିମୁଖ୍ୟ ପରେ ଦୁର୍ନୀତିଖୋର୍‌ ଓ ଅପାରଗ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।

Leave A Reply

Your email address will not be published.