ବିଧାୟକ-ସାଂସଦମାନଙ୍କ ବିରୋଧରେ ଥିବା ଅପରାଧିକ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ୧୪ଟି ସ୍ୱତନ୍ତ୍ର କୋର୍ଟ ଖୋଲିବାକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟରେ ପୂର୍ବତନ ଓ ବର୍ତ୍ତମାନର ବିଧାୟକ-ସାଂସଦମାନଙ୍କ ବିରୋଧରେ ବର୍ଷବର୍ଷ ଧରି ପଡ଼ିରହିଥିବା ଅପରାଧ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଲୋକପ୍ରତିନିଧି(ବିଧାୟକ-ସାଂସଦ)ମାନଙ୍କ ସହ ଜଡ଼ିତ ମାମଲାର ବିଚାର ପ୍ରକ୍ରିୟାକୁ ତ୍ୱରିତ୍ ଶୁଣାଣି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ୧୪ଟି ସ୍ୱତନ୍ତ୍ର କୋର୍ଟ ଖୋଲିବାକୁ ମଞ୍ଜୁରୀ ଦେଇଛନ୍ତି। ଏଥିରେ ଜିଲ୍ଲା ଜଜ୍ କ୍ୟାଡ଼ରର ୩ଟି ଦୌରାଜଜ୍ ଅଦାଲତ ଓ ସିଭିଲ୍ ଜଜ୍ କ୍ୟାଡ଼ରର ୧୧ଟି ମାଜିଷ୍ଟ୍ରେଟ୍ ଅଦାଲତ ସାମିଲ ରହିଛି। ଏହି କୋର୍ଟ କାର୍ଯ୍ୟକ୍ଷମ ହେବା ପାଇଁ ବିଚାରପତି ଓ ଆନୁସଙ୍ଗିକ କର୍ମଚାରୀଙ୍କୁ ମିଶାଇ ମୋଟ ୧୩୬ଟି ନୂଆ ପଦବୀ ସୃଷ୍ଟିକୁ ଗୃହ ବିଭାଗ ମଞ୍ଜୁରୀ ଦେଇଛି। ଏନେଇ ମଙ୍ଗଳବାର ବିଧିବଦ୍ଧ ବିଜ୍ଞପ୍ତି ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି। ଅନ୍ୟପକ୍ଷରେ ରାଜ୍ୟରେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏସଂକ୍ରାନ୍ତୀୟ ମୋଟ ୪୧୯ଟି ମାମଲା ବିଚାରାଧୀନ ରହିଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ, ୩ଟି ଜିଲ୍ଲା ଜଜସ୍ତରୀୟ ସ୍ୱତନ୍ତ୍ର କୋର୍ଟ ପାଇଁ ମୋଟ ୪୮ଟି ପଦବୀ ଓ ୧୧ଟି ସିଭିଲ୍ ଜଜସ୍ତରୀୟ ସ୍ୱତନ୍ତ୍ର କୋର୍ଟ ପାଇଁ ୮୮ଟି ପଦବୀ ମଞ୍ଜୁର ହୋଇଛି। ଏହି ମୋଟ ୧୩୬ଟି ନୂଆ ପଦବୀ ମଧ୍ୟରେ ୨୦ଟି ହାଉସ ଅର୍ଡରଲି ପଦବୀକୁ ନିୟମିତ ବେତନ ହାର ବଦଳରେ ମାସିକ ୧୫ହଜାର ଟଙ୍କା ଲେଖାଏଁ ଏକକାଳୀନ ପାରିଶ୍ରମିକ ମିଳିବ। ସେହିପରି ୮ଜଣ ସଫେଇ କର୍ମଚାରୀ ଓ ରାତ୍ରି ଜଗୁଆଳିଙ୍କୁ ବାହ୍ୟ ଏଜେନ୍ସି ମାଧ୍ୟମରେ ନିୟୋଜିତ କରାଯିବ।
Comments are closed, but trackbacks and pingbacks are open.