ଅତ୍ୟାଧୁନିକ ଚିକିତ୍ସା, ସେବା ଓ ବିଶେଷଜ୍ଞ ଚିକିତ୍ସକଙ୍କ ଦକ୍ଷତା ବଳରେ ମହିଳାଙ୍କ ଜୀବନ ରକ୍ଷା କଲେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୨ର ଡାକ୍ତରୀ ଟିମ୍‌

32

ଭୁବନେଶ୍ୱର, ଅଗଷ୍ଟ ୨୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୨, ଫୁଲନଖରାର ଏକ ବହୁବିଭାଗୀୟ ଚିକିତ୍ସକ ଦଳ ଜଣେ ଗୁରୁତର ଭାବେ ଅସୁସ୍ଥ ଥିବା ମହିଳାଙ୍କର ଏକ ବିରଳ ତଥା ଜୀବନ ପ୍ରତି ବିପଦଜନକ ମାମଲାକୁ ସଫଳତାର ସହ ଚିହ୍ନଟ ଓ ଚିକିତ୍ସା କରି ତାଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି । ସଂପୃକ୍ତ ମହିଳାଙ୍କର ଜୀବନ ପ୍ରତି ବିପଦ ଥିବା ବେଳେ ସେ ପ୍ରସବ ପରବର୍ତୀ ବିଳମ୍ବିତ ରକ୍ତସ୍ରାବ ଯାହାକୁ କି ୟୁଟେରାଇନ୍ ଆର୍ଟେରୀ ସ୍ୟୁଡୋଆନ୍ୟୁରିଜମ୍ ସମସ୍ୟାରେ ପୀଡ଼ିତ ଥିବାର ଜଣାପଡ଼ିଥିଲା ।
ସିଜରିଆନ୍ ପ୍ରକ୍ରିୟାରେ ପ୍ରସବର ତିନି ଦିନ ପରେ ମହିଳା ଜଣଙ୍କ ପରିସ୍ରାଦ୍ୱାରରେ ଅତ୍ୟଧିକ ଯନ୍ତ୍ରଣା ଓ ରକ୍ତସ୍ରାବର ସମସ୍ୟା ନେଇ ହସ୍ପିଟାଲରେ ପହଂଚିଥିଲେ । ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ଶାରୀରିକ ସ୍ଥିତି ଅସ୍ଥିର ହୋଇପଡ଼ିଥିବାରୁ ତୁରନ୍ତ ଚିକିତ୍ସା ଆବଶ୍ୟକ ହୋଇଥିଲା ।
ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତି କରାଯାଇ ସ୍ଥିର କରାଯାଇଥିଲା । ତାଙ୍କୁ କ୍ରିଟିକାଲ୍ କେୟାର ବିଭାଗର ଡାକ୍ତର ଶୁଭଙ୍କର, ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଅଭିଜିତ୍ ଓ ନେଫ୍ରୋଲୋଜି ବିଭାଗର ଡାକ୍ତର ହାପି ପାତ୍ରଙ୍କ ନେତୃତ୍ୱରେ ଚିକିତ୍ସକମାନେ ମିଳିତ ଭାବେ ଚିକିତ୍ସା କରିବା ସହ ତାଙ୍କର ଜଟିଳ ପରିସ୍ଥିତିର ନିୟନ୍ତ୍ରଣ କରିଥିଲେ ।
ୟୁଟେରାଇନ୍ ଆର୍ଟେରୀ ସ୍ୟୁଡୋଆନ୍ୟୁରିଜମ୍ ଏକ ବିରଳ ଓ ଗୁରୁତର ରକ୍ତନାଳୀଜନିତ ସମସ୍ୟା । ଏଥିରେ ଜରାୟୁ ଧମନୀର ପ୍ରାଚୀରରେ କ୍ଷତ ସୃଷ୍ଟି ହେବା ଫଳରେ ରକ୍ତ ଆଖପାଖର ଟିସ୍ୟୁରେ ଲିକ୍ ହୋଇଥାଏ, ଯାହା ଗୁରୁତର ଓ ଜୀବନ ପ୍ରତି ବିପଦଜନକ ରକ୍ତସ୍ରାବର କାରଣ ହୋଇପାରେ ।
ହସ୍ପିଟାଲରେ ଉପଲବ୍ଧ ଅତ୍ୟାଧୁନିକ ରୋଗ ନିରୂପଣ ସୁବିଧା ଓ ବିଶେଷଜ୍ଞ ଚିକିତ୍ସା ସେବା ଯୋଗୁଁ ରକ୍ତସ୍ରାବର ମୂଳ କାରଣକୁ ଶୀଘ୍ର ଚିହ୍ନଟ କରାଯାଇପାରିଥିଲା । ସିଟି ଆଞ୍ଜିଓଗ୍ରାଫି ପରୀକ୍ଷାରେ ୟୁଟେରାଇନ୍ ଆର୍ଟେରୀ ସ୍ୟୁଡୋଆନ୍ୟୁରିଜମ୍ ହିଁ ରକ୍ତସ୍ରାବର କାରଣ ବୋଲି ନିଶ୍ଚିତ ହୋଇଥିଲା ।
ସେହିପରି ଡାକ୍ତର ଶ୍ରୀକାନ୍ତ ସୁନ୍ଦରାଙ୍କ ନେତୃତ୍ୱରେ ଇଂଟରଭେନସନାଲ୍ ରେଡିଓଲୋଜି ବିଭାଗର ଏକ ଟିମ୍ ତୁରନ୍ତ ୟୁଟେରାଇନ୍ ଆର୍ଟେରୀ ଏମ୍ବୋଲାଇଜେସନ୍ ପ୍ରକ୍ରିୟା ସଫଳତାର ସହ ସଂପାଦନ କରିଥିଲେ । ଏହି ଅତ୍ୟାଧୁନିକ ଓ ଅଳ୍ପ ଆକ୍ରମଣାତ୍ମକ ପ୍ରକ୍ରିୟା ମାଧ୍ୟମରେ ରକ୍ତସ୍ରାବକୁ ସଫଳତାର ସହ ନିୟନ୍ତ୍ରଣ କରାଯିବା ସହ ବଡ଼ ଧରଣର ଅସ୍ତ୍ରୋପଚାରର ଆବଶ୍ୟକତାକୁ ଏଡ଼ାଯାଇପାରିଥିଲା ।
ଚିକିତ୍ସା ପରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟିଥିଲା ଏବଂ କୌଣସି ଜଟିଳତା ବିନା ସେ ସୁସ୍ଥ ହୋଇଥିଲେ । ପ୍ରାୟ ଏକ ସପ୍ତାହ ମଧ୍ୟରେ ସେ ସୁସ୍ଥ ଓ ସ୍ଥିର ଅବସ୍ଥାରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ।
ଏହି ସଫଳ ଚିକିତ୍ସା ଦୁର୍ଲଭ ତଥା ଜୀବନ ପ୍ରତି ବିପଦଜନକ ପ୍ରସୂତିଜନିତ ଜରୁରୀକାଳୀନ ସ୍ଥିତିର ପରିଚାଳନାରେ ଅତ୍ୟାଧୁନିକ ଚିକିତ୍ସା ଭିତିଭୂମି, ସମୟୋପଯୋଗୀ ରୋଗ ନିରୂପଣ ଏବଂ ବିଭିନ୍ନ ବିଶେଷଜ୍ଞଙ୍କ ସୁସମନ୍ୱିତ ଟିମ୍‌ୱର୍କ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ପୁଣିଥରେ ପ୍ରମାଣିତ କରିଛି ।

Comments are closed, but trackbacks and pingbacks are open.