ରନ୍ଧନ ତେଲର ବ୍ୟବହାର କମାଇବାକୁ କଲେଜ କ୍ୟାଣ୍ଟିନ୍‌ ଓ ହଷ୍ଟେଲଗୁଡ଼ିକୁ ଚିଠି କଲା ଉଚ୍ଚ ଶିକ୍ଷା ବିଭାଗ

23

ଭୁବନେଶ୍ୱର:ଆଉ କଲେଜ କ୍ୟାଣ୍ଟିନ୍‌ରେ ବିକ୍ରି ହେବନାହିଁ ତେଲିଆ ଖାଦ୍ୟ । ପ୍ରଧାନମନ୍ତ୍ରୀଙ୍କ ରନ୍ଧନ ତେଲ ବ୍ୟବହାର କମାଇବା ନେଇ ଆହ୍ୱାନକୁ ଅନୁସରଣ କରି ଉଚ୍ଚ ଶିକ୍ଷା ବିଭାଗ ଏହି ପରାମର୍ଶ ଦେଇଛି ।ଏନେଇ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଉପସଚିବ ରମେଶ ଚନ୍ଦ୍ର ବେହେରା ଏ ସମ୍ପର୍କରେ ଚିଠି ଲେଖିଛନ୍ତି ।ପୁରୀ, ବରା, ଆଳୁଚପ ଭଳି ଅଧିକ ତେଲରେ ପ୍ରସ୍ତୁତ ଖାଦ୍ୟକୁ ଏଡ଼ାଇବାକୁ କ୍ୟାଣ୍ଟିନ୍‌ ଓ ହଷ୍ଟେଲଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଖାଦ୍ୟ ପ୍ରସ୍ତୁତି ସମୟରେ ମଧ୍ୟ ଆବଶ୍ୟକତାଠାରୁ ଅଧିକ ରନ୍ଧନ ତେଲ ବ୍ୟବହାର ନ କରିବାକୁ କୁହାଯାଇଛି । ଛାତ୍ରଛାତ୍ରୀଙ୍କୁ ତେଲରେ ଛଣା ଖାଦ୍ୟ ବଦଳରେ ସୁସ୍ଥ ଓ ପୌଷ୍ଟିକ ଖାଦ୍ୟ ଯୋଗାଇବା ଉପରେ ଗୁରୁତ୍ୱ ରହିଛି । ପାରମ୍ପରିକ ଘିଅ ସହ ସୋରିଷ ତେଲ ଓ ବାଦାମ ତେଲ ଭଳି ବିକଳ୍ପ ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହା ସହିତ ଉଚ୍ଚଶିକ୍ଷା ବିଭାଗ ଚିଠିରେ ଉଲ୍ଲେଖ କରିଛି ଯେ, କୋଭିଡ୍ ମହାମାରୀ ପରଠାରୁ ବିଶ୍ୱ ରେ ଯୋଗାଣରେ ବାଧା ସୃଷ୍ଟି ହେଉଛି । ୟୁକ୍ରେନରେ ସଂଘର୍ଷର ପରିଣାମ ସ୍ୱରୂପ ଖାଦ୍ୟ, ସାର ଏବଂ ଇନ୍ଧନର ଯୋଗାଣ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥିଲା । ଇରାନରେ ସାମ୍ପ୍ରତିକ ସଂଘର୍ଷ ଏହି ଖାଦ୍ୟ, ଇନ୍ଧନ ଏବଂ ସାର ସଙ୍କଟକୁ ଆହୁରି ତୀବ୍ର କରିଛି । ବିଶ୍ୱର କୌଣସି ବି ଦେଶ ଏହି ସଙ୍କଟର ଆର୍ଥିକ ପ୍ରଭାବରୁ ମୁକ୍ତ ହୋଇପାରୁନାହିଁ । ଇନ୍ଧନ ଚାହିଦା ହ୍ରାସ କରିବା ପାଇଁ ଅନେକ ଦେଶ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଭାରତ ମଧ୍ୟ ଏହି ଦୀର୍ଘକାଳୀନ ସଙ୍କଟର ନକାରାତ୍ମକ ପରିଣାମର ସମ୍ମୁଖୀନ ହେଉଛ। ତେଣୁ ଏଭଳି ପରିସ୍ଥିତିରେ ତେଲ ଜାତୀୟ ଖାଦ୍ୟ କମେଇବାକୁ ଅନୁରୋଧ କରିଛି ଉଚ୍ଚ ଶିକ୍ଷା ବିଭାଗ ।

Comments are closed, but trackbacks and pingbacks are open.