ସମ୍ବେଦନ ଶୀଳ ଖବର ପ୍ରସାରଣ ନେଇ ,ଟିଭି ଚ୍ୟାନେଲ ଗୁଡିକୁ ସରକାର ଙ୍କ ଚେତାବନୀ

52

ରୁଷ-ୟୁକ୍ରେନ ଯୁଦ୍ଧ ଓ ଦିଲ୍ଲୀ ଦଙ୍ଗା ସମ୍ପର୍କିତ ଖବର ପ୍ରସାରଣ ନେଇ ନ୍ୟୁଜ ଚ୍ୟାନେଲ ଗୁଡିକୁ ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର I ଖବରର ସତ୍ୟତା ବିଷୟରେ ଅଭିଜ୍ଞତା ନ ଥାଇ ଚ୍ୟାନେଲ ଗୁଡିକ ଯେଉଁଭଳି ଭାବରେ ଅତି ରଂଜିତ କରି ଖବର ଉପସ୍ଥାପନ କରୁଛନ୍ତି,ଠାକୁ ନେଇ କେନ୍ଦ୍ର ସରକାର ଆପତ୍ତି ଉଠାଇଛନ୍ତି I ସେଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଟିଭି ଚ୍ୟାନେଲଗୁଡ଼ିକ ଲାଗି କଡ଼ା ପରାମର୍ଶନାମା ଜାରି କରାଯାଇଛି । ସେଥିରେ ଆଇନ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସଂହିତା ପାଳନ କରିବାକୁ କୁହାଯାଇଛି I ନ୍ୟୁଜ ଚ୍ୟାନେଲ ଗୁଡିକୁ ଏହି ମର୍ମରେ କଠୋର ଭାଷାରେ ମାର୍ଗ ଦର୍ଶିକା ସରକାରଙ୍କ ପକ୍ଷରୁ ଦିଆଯାଇଛି I

ସେହିପରି ସରକାରଙ୍କ ପକ୍ଷରୁ କେତେକ ନିର୍ଦ୍ଦିଷ୍ଟ ଉଦାହରଣ ଦେଇ ନ୍ୟୁଜ ଆଙ୍କର ମାନେ ଯେଉଁଭଳି ଭାବରେ ମନ୍ତବ୍ୟ ଓ ସମ୍ବେଦନଶୀଳ ମୁଖ୍ୟାଂଶ ଓ ତ୍ୟାଗ ଲାଇନ ଦେଇଛନ୍ତି ତାହା ଗ୍ରହଣ ଯୋଗ୍ୟ ନୁହେଁ I ଯାହା କି ଦିଲ୍ଲୀ ଦଙ୍ଗା ରେ ତଦନ୍ତ ପ୍ରକ୍ରିୟାକୁ ଅଧିକ ପ୍ରଭାବିତ କରୁଛି Iଏହି ପରାମର୍ଶନାମା ଜାରି କରିବା ସମୟରେ ସରକାର ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ସଂପର୍କିତ ରିପୋର୍ଟିଂ କରିବା ସମୟରେ ନ୍ୟୁଜ ଆଙ୍କରମାନଙ୍କର ‘ଅତିଶୟୋକ୍ତିପୂର୍ଣ୍ଣ ବୟାନ’ ଓ ‘ଚାଞ୍ଚଲ୍ୟକାରୀ ଶିରୋନାମା/ଟ୍ୟାଗ୍‌ଲାଇନ୍‌’ ପ୍ରସାରିତ କରିବା ତଥା ‘ଯାଞ୍ଚ ହୋଇନଥିବା ସିସିଟିଭି ଫୁଟେଜ୍‌’ ପ୍ରସାରିତ କରି ଜାହାଙ୍ଗିରପୁରୀରେ ହୋଇଥିବା ହିଂସା ଘଟଣାର ଯାଞ୍ଚ ପ୍ରକ୍ରିୟାକୁ ବାଧା ପହଞ୍ଚାଇବା ଭଳି କିଛି ଘଟଣାର ଉଦାହରଣ ଦେଇଥିଲେ ।

ସରକାରଙ୍କ ମୁତାବକ ଜାହାଙ୍ଗିରପୁରୀ ହିଂସା ଘଟଣା ସଂପର୍କରେ ଟେଲିଭିଜନ ଚ୍ୟାନେଲଗୁଡ଼ିକରେ ପ୍ରସାରିତ କିଛି ବିତର୍କରେ ଅସଂସଦୀୟ, ଉତ୍ତେଜକ ତଥା ସାମାଜିକ ଭାବେ ଅଗ୍ରହଣୀୟ ଭାଷା ବ୍ୟବହାର ହୋଇଥିଲା । ଯାହାର ପ୍ରଭାବ ଦର୍ଶକଙ୍କ ଉପରେ ପଡିବା ସହିତ ସାମ୍ପ୍ରଦାୟିକ ସଦ୍‌ଭାବ ତଥା ଶାନ୍ତି ନଷ୍ଟ ହେବା ଭଳି ଲାଗିଥିଲା । ଏଭଳି କ୍ଷେତ୍ରରେ ଟେଲିଭିଜନ୍‌ ଚ୍ୟାନେଲଗୁଡ଼ିକୁ କେବୁଲ ଟେଲିଭିଜନ୍‌ ନେଟୱର୍କସ୍‌ ଆଇନ ୧୯୯୫ର ଧାରା ୨୦କୁ ପାଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଏହା ଅଧୀନରେ ଆସୁଥିବା ନିୟମର ଉଂଲ୍ଲଘନ କରିବା ଭଳି କୌଣସି ଖବରର ପ୍ରସାରଣକୁ ତତ୍କାଳ ରୋକିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ରୁଷ-ୟୁକ୍ରେନ ଯୁଦ୍ଧ ଖବର ପ୍ରସାରଣ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କିଛି ଚ୍ୟାନେଲ ମିଥ୍ୟା ଦାବି ତଥା ସତ୍ୟତା ନଥିବା ବିଭ୍ରାନ୍ତିକର ଖବର ମଧ୍ୟ ପ୍ରସାରଣ କରୁଥିବା ନଜରକୁ ଆସିଛି । ଖବରର ବିଷୟବସ୍ତୁତ ସହ ଆଧାରିତ ହୋଇନଥିବା ଶୀରୋନାମାକୁ ଚାଞ୍ଚଲ୍ୟକର ଢ଼ଙ୍ଗରେ ଉପସ୍ଥାପନ କରାଯାଉଛି । କିଛି ସାମ୍ବାଦିକ ଓ ଉପସ୍ଥାପକ ମଧ୍ୟ ମନଗଢ଼ା ବୟାନବାଜି କରୁଛନ୍ତି । ଯାହାକି ଅଡିଏନ୍ସଙ୍କୁ ପ୍ରଭାବିତ କରୁଛି । ଏଭଳି ଖବର ପ୍ରସାରଣ ଫଳରେ ନାଗରିକଙ୍କ ଉପରେ ତାର ଖରାପ ପ୍ରଭାବ ପଡୁଛି ।

ଦିଲ୍ଲୀ ହିଂସା ଘଟଣାରେ କେତେକ ସାଟେଲାଇଟ୍‌ ଟିଭି ଚ୍ୟାନେଲ ପକ୍ଷରୁ ଉତ୍ତେଜନା ସୃଷ୍ଟିକାରୀ ଓ ହିଂସାତ୍ମକ ଭିଡିଓ ଥିବାର ଖବର ପ୍ରସାରଣ କରାଯାଇଥିଲା । କ୍ଷମତାପ୍ରାପ୍ତ ଅଧିକାରୀମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ସାମ୍ପ୍ରଦାୟିକ ରଙ୍ଗ ଦେଇ କିଛି ଚ୍ୟାନେଲ ଅଯଥା ଚର୍ଚ୍ଚା ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି । ଏଭଳି ଖବର ପ୍ରସାରଣ ଦର୍ଶକଙ୍କ ଉପରେ ମନୋବୈଜ୍ଞାନିକ ପ୍ରଭାବ ପକାଇବା ସହିତ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିବାର ସମ୍ଭାବନା ରହିଛି । ତା’ଛଡା ଏହା ସମାଜରେ ବ୍ୟାପକ ଅଶାନ୍ତି ସୃଷ୍ଟି କରିବାର ଆଶଙ୍କା ମଧ୍ୟ ରହିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେଣୁ ଏଭଳି ଖବର ପ୍ରସାରଣ ବେଳେ ସର୍ବଦା ସତର୍କତା ଅବଲମ୍ବନ କରିବା ସହ ଆଇନ ପାଳନ କରିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ।

Comments are closed, but trackbacks and pingbacks are open.