ନିର୍ବାଚନର ପର୍ବ ଆମ ଦେଶର ଗର୍ବ; ୧୦୨ ଆସନରେ ହେଉଛି ମତଦାନ

92

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବୃହତ ମତଦାନ ପ୍ରକ୍ରିୟା । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ଆରମ୍ଭ ହୋଇଛି ମତଦାନ । ଏଥିସହ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗ୍ରହଣ ।

ପ୍ରଥମ ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୮୭ ହଜାର ପୋଲିଂ କେନ୍ଦ୍ରରେ ମତଦାନ ଆରମ୍ଭ ହୋଇଛି । ୧୬ କୋଟି ୬୩ ଲକ୍ଷ ଲୋକ ମତଦାନ କରିବେ । ଏଥିପାଇଁ ୧୮ ଲକ୍ଷ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ପୋଲିଂ କାର୍ଯ୍ୟରେ ୪୧ ହେଲିକେପ୍ଟର, ୮୪ ସ୍ୱତନ୍ତ୍ର ଟ୍ରେନ ଏବଂ ୧ ଲକ୍ଷ କାର ନିଯୁକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନୀ ମଇଦାନରେ ଅଛନ୍ତି ୧ ହଜାର ୬୨୫ ପ୍ରାର୍ଥୀ । ସେମାନଙ୍କ ମଧ୍ୟରୁ ୧ ହଜାର ୪୯୧ ଜଣ ପୁରୁଷ ପ୍ରାର୍ଥୀ ଥିବା ବେଳେ ୧୩୪ ଜଣ ମହିଳା ପାର୍ଥୀ ରହିଛନ୍ତି ।

ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ । ୧୦୨ ଲୋକସଭା ଆସନରେ ହେବାକୁ ଥିବା ମତଦାନରେ ତାମିଲନାଡୁର ସର୍ବାଧିକ ୩୯ ଆସନ ରହିଛି । ସେହିପରି ରାଜସ୍ଥାନର ୧୨ଟି, ୟୁପିର ୮ଟି, ଉତରାଖଣ୍ଡର ୫ଟି, ବିହାରର ୪ଟି, ଆସାମର ୪ଟି, ମଧ୍ୟପ୍ରଦେଶର ୬ଟି, ଅରୁଣାଚଳ ପ୍ରଦେଶର ୨ଟି, ପଶ୍ଚିମବଙ୍ଗର ୩ଟି, ମହାରାଷ୍ଟ୍ରର ୫ଟି ଏବଂ ଛତିଶଗଡ଼, ତ୍ରିପୁରା, ଜମ୍ମୁ-କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦୀପ ଓ ପୁଡୁଚେରୀର ଗୋଟିଏ ଲେଖାଏଁ ଆସନରେ ମତଦାନ ହେବ ।ଏହି ନିର୍ବାଚନରେ ୯ କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନସାଧାରଣ। ଏଥିରେ ରହିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରି, କେନ୍ଦ୍ର ବିଜ୍ଞାନମନ୍ତ୍ରୀ କିରେନ୍‍ ରିଜିଜୁ, ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ, ସଞ୍ଜୀବ ବଲିୟାଁ, କେନ୍ଦ୍ର ସଂସଦୀୟବ୍ୟାପର ମନ୍ତ୍ରୀ ଜିତେନ୍ଦ୍ର ସିଂହ, ରାଜ୍ୟସଭା ସାଂସଦ ତଥା ଜଳସମ୍ପଦ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଅର୍ଜୁନ ରାମ ମେଘଓ୍ୱାଲ, ନିଶିଥ ପ୍ରମାଣିକ ଏବଂ ଏଲ୍‍ ମୁରୁଗୁନ।

Comments are closed, but trackbacks and pingbacks are open.