ଜାଲ୍ ଜାତିଗତ ପ୍ରମାଣ ଦେଇଥିବାରୁ ଶିକ୍ଷକ ଚାକିରୀରୁ ବହିଷ୍କୃତ

12

ଜଗତସିଂହପୁର: ଶିକ୍ଷକ ସୁଶାନ୍ତ କୁମାର ମଣ୍ଡଳ ନକଲି ଜାତିଗତ ପ୍ରମାଣ ଦେଇ ଚାକିରୀ କରିବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳ ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗ୍ରହଣ କରାଯାଇଛି । ୨୦୦୬ରେ ଶିକ୍ଷା ସହାୟକ ପକ୍ଷରୁ ଅନୁସୂଚିତ ଜାତି ବର୍ଗରେ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସୁଶାନ୍ତ କୁମାର ମଣ୍ଡଳ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ଅନୁସୂଚିତ ଜାତି ସଂରକ୍ଷଣ ବର୍ଗ ଅଧୀନରେ ଅଣ-ପ୍ରଶିକ୍ଷିତ ପ୍ରାର୍ଥୀ ଭାବରେ ମନୋନୀତ ହୋଇଥିଲେ । ପ୍ରାୟ ଦୀର୍ଘ ୨୦ ବର୍ଷ ଧରି ସେ ଶିକ୍ଷକତା କରୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଅନୁସୂଚିତ ଜାତି ବର୍ଗରେ ଆସୁନଥିବା ଅଭିଯୋଗ ହୋଇଥିଲା । ୨୮ ଜାନୁୟାରୀ ୨୦୨୬ରେ ମାନ୍ୟବର ହାଇକୋର୍ଟ ମାମଲାର ପୁନର୍ବାର ଶୁଣାଣି କରି ତାଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଆଦେଶ ଦେଇଥିଲେ । ସୂତ୍ରରୁ ଜଣାପଡ଼ିଛି ଯେ ସୁଶାନ୍ତ କୁମାର ମଣ୍ଡଳ ଅନୁସୂଚିତ ବର୍ଗରେ ଆସୁନାହାଁନ୍ତି । କୁଜଙ୍ଗ ତହସିଲଦାରଙ୍କୁ ତାଙ୍କ ସପକ୍ଷରେ ପ୍ରଦାନ କରାଯାଇଥିବା ଅନୁସୂଚିତ ଜାତି ପ୍ରମାଣପତ୍ରକୁ ବାତିଲ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ତାଙ୍କୁ ଚାକିରୀରୁ ବହିଷ୍କୃତ କରିଛନ୍ତି ।

Comments are closed, but trackbacks and pingbacks are open.