ଓଡ଼ିଶା DGP ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ରେ ପରବର୍ତ୍ତୀ ଶୁଣାଣି

10

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୟୁନିଅନ ପବ୍ଲିକ ସର୍ଭିସ କମିଶନକୁ ଓଡ଼ିଶା DGP ଚୟନ ପ୍ରକ୍ରିୟାକୁ ଅଗଷ୍ଟ ୧୮ ପର୍ଯ୍ୟନ୍ତ ଆଗକୁ ନବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୮ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି । ସାମାଜିକ କର୍ମୀ ଜୟନ୍ତ ଦାସ ଏହି PIL ଦାଖଲ କରିଛନ୍ତି । ଯାହା ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି କରି ଏହି ରାୟ ଦେଇଛନ୍ତି । ସୂଚନା ଥାଉ କି, UPSC ପକ୍ଷରୁ ଆଜି DGP ଚୟନ ପାଇଁ ବୈଠକ ହେବାର ଥିବାଥିଲା। ତେବେ ସୁପ୍ରିମକୋର୍ଟ ଏହି ବୈଠକକୁ ଅଗଷ୍ଟ ୧୮ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତିଙ୍କ ନେତୃତ୍ଵାଧୀନ ବେଞ୍ଚ ସମ୍ମୁଖରେ ବରିଷ୍ଠ ଆଇନଜୀବୀ ପି. ଚିଦମ୍ବରମ ଏକ ଜନସ୍ୱାର୍ଥ ମାମଲା (PIL)ର ଉଲ୍ଲେଖ କରିଥିଲେ। ଏହି PILରେ ଓଡ଼ିଶା DGP ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରାଯାଇଛି। ଆବେଦନକାରିଙ୍କ ଯୁକ୍ତି ହେଉଛି, ସୁପ୍ରିମକୋର୍ଟଙ୍କ ‘ପ୍ରକାଶ ସିଂହ’ ରାୟରେ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରି DGP ଚୟନ ପ୍ରକ୍ରିୟା କରାଯାଉଛି। ପି.ଚିଦମ୍ବରମ ଦାବି କରିଥିଲେ ଯେ; ସୁପ୍ରିମକୋର୍ଟରେ ଶୁଣାଣି ହେବାର ଠିକ୍ ପୂର୍ବରୁ ମଙ୍ଗଳବାର ଜଣେ ପୋଲିସ୍ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଥିଲା। ଏହି ଅଧିକାରୀଙ୍କୁ UPSCକୁ ପଠାଯାଇଥିବା ପ୍ୟାନେଲରେ ସାମିଲ କରିବା ପାଇଁ ଏପରି କରାଯାଇଥିବା ସେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ, ଓଡ଼ିଶାର ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କୌଣସି ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ ଏକ ସେବା ସମ୍ପର୍କିତ ବିବାଦରେ PIL ଦାଖଲ କରାଯିବାର ଆଇନଗତ ଗ୍ରହଣ ଯୋଗ୍ୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଖଣ୍ଡପୀଠ ମଧ୍ୟ PILର maintainability ନେଇ ସନ୍ଦେହ ପ୍ରକାଶ କରିଥିଲେ। ତେବେ ‘ପ୍ରକାଶ ସିଂହ’ ମାମଲାରେ ଆମିକସ୍ କ୍ୟୁରି ଥିବା ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ମତାମତ ନିଆଯାଇଥିଲା। ସେ ଆବେଦନକୁ ସମର୍ଥନ କରି କହିଥିଲେ ଯେ DGP ଚୟନ ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହେଉନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮ରେ ହେବ।

Comments are closed, but trackbacks and pingbacks are open.