ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ 10 ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତ

19

ପୁରୀ: ଶନିବାର ମହାପ୍ରଭୁଙ୍କର ଦିବ୍ୟ ସୁନାବେଶ ଅନୁଷ୍ଠିତ ହୋଇଯାଇଛି l ରଥ ଉପରେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଜନ ସମୁଦ୍ରରେ ପରିଣତ ହୋଇଯାଇଥିଲା । ବଡ଼ଠାକୁର ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥାରୃଢ଼ ସୁନାବେଶ ଦେଖି ଭାବବିହ୍ବଳ ହୋଇ ଯାଇଥିଲେ ଭକ୍ତ । ଏହି ଦିବ୍ୟ ଦୁର୍ଲଭ ଦର୍ଶନ ସମୟରେ ୧୦ ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କର ସମାଗମ ହୋଇଥିବା ନେଇ ଆକଳନ କରାଯାଇଛି l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପୁରୀରେ ପହଞ୍ଚି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଶୀର୍ବାଦ ନେବା ସହିତ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି । ସୂଚନା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜେଟିପିଙ୍କୁ ମୁତୟନ କରାଯାଇଥିଲା। ଜେଟିପି ଚିହ୍ନଟ କରି ସେବାୟତଙ୍କୁ ବାରିକେଡ୍‌ ଦେଇ ଭିତରକୁ ଛାଡ଼ୁଥିଲେ। କିନ୍ତୁ ସେବାୟତ ମାନଙ୍କର ଯିବା ଆସିବାକୁ ନେଇ ଜଣେ ପୁଲିସ କର୍ମଚାରୀ ବିରକ୍ତ ହୋଇ କାହାରିକୁ ଛଡ଼ାଯିବନି ବୋଲି କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା l ଯାହାଫଳରେ ରାତି ୧୦ଟାରୁ ୧୧ଟା ଭିତରେ ହେବାକୁ ଥିବା ସୁନାବେଶ ମଇଲମ ବିଳମ୍ବରେ ହୋଇଥିଲା। ଦେଢ଼ଘଣ୍ଟା ପରେ ସୁନାବେଶ ମଇଲମ ଓ ସନ୍ଧ୍ୟାଧୂପ ହୋଇଥିଲା। ରାତି ସାଢ଼େ ୧୧ଟା ବେଳେ ମହାପ୍ରଭୁଙ୍କ ପାଖରେ ସନ୍ଧ୍ୟାଧୂପ ହୋଇଥିଲା। ଏହା ପରେ ପରେ ଅନ୍ୟାନ୍ୟ ନୀତି ଆଗକୁ ବଢ଼ିଥିଲା।

Comments are closed, but trackbacks and pingbacks are open.