ଭୁବନେଶ୍ୱର: ରାଜ୍ୟରେ ଆଗାମୀ ସ୍ପେଶାଲ ସମରୀ ରିଭିଜନ (SIR) ବା ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସୁଚାରୁ ଓ ସମୟସୀମା ମଧ୍ୟରେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଏହି କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ ଓ କର୍ମଚାରୀଙ୍କ ବଦଳି ଉପରେ ତୁରନ୍ତ ରୋକ ଲଗାଯିବା ସହ ସମସ୍ତ ଖାଲି ପଦବୀ ତୁରନ୍ତ ପୂରଣ କରିବାକୁ ଆଦେଶ ଦିଆଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପକ୍ଷରୁ ସମସ୍ତ ବିଭାଗକୁ ଏକ ଗୁରୁତ୍ୱପୂର୍ଣ୍ଣ ନୋଟ୍ସିଟ୍ ଜାରି କରାଯାଇଛି। ଭାରତ ନିର୍ବାଚନ ଆୟୋଗଙ୍କ (ECI) ନିର୍ଦ୍ଦେଶକ୍ରମେ ଆସନ୍ତା ଜୁଲାଇ ୧ ତାରିଖରୁ ଏହି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭୋଟର ତାଲିକା ପ୍ରସ୍ତୁତି ସହ ଜଡ଼ିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହି ପ୍ରକ୍ରିୟାରେ ସିଇଓ (CEO), ଡିଇଓ (DEO), ଇଆରଓ (ERO), ଏଇଆରଓ (AERO), ବିଏଲ୍ଓ (BLO) ସୁପରଭାଇଜର ଏବଂ ବିଏଲ୍ଓମାନଙ୍କୁ ବହୁ ମାତ୍ରାରେ ସହଯୋଗୀ କର୍ମଚାରୀଙ୍କ ଆବଶ୍ୟକତା ପଡ଼ିବ। ଏଣୁ ସେମାନଙ୍କ ପାଖରେ କିଭଳି ପର୍ଯ୍ୟାପ୍ତ ମାନବ ସମ୍ବଳ ମହଜୁଦ ରହିବେ, ତାହା ସୁନିଶ୍ଚିତ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
Comments are closed, but trackbacks and pingbacks are open.