ନେପାଳରେ ଫସିଥିବା ଓଡ଼ିଆଙ୍କୁ ସହାୟତା ପାଇଁ ପଦକ୍ଷେପ

26

ନୂଆଦିଲ୍ଲୀ: ନେପାଳର ପ୍ରଳୟଙ୍କରୀ ବନ୍ୟାରେ ୩୦୦ ଜଣ ଭାରତୀୟ ନାଗରିକଙ୍କ ସମେତ ୧୩୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏହା ମଧ୍ୟରେ କିଛି ଓଡ଼ିଆ ଥିବାର ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଲକ୍ଷ୍ୟ କରି ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସଠାରେ ଏକ 24×7 କଂଟ୍ରୋଲ ରୁମ୍ ଖୋଲାଯାଇଛି । ନେପାଳରେ ହୋଇଥିବା ଭୟଙ୍କର ବନ୍ୟାରେ ଫସି ରହିଥିବା କିମ୍ବା ସଙ୍କଟରେ ଥିବା ରାଜ୍ୟର ଲୋକମାନଙ୍କୁ ସହାୟତା କରିବା ପାଇଁ ଓଡ଼ିଶା ସରକାର ବୁଧବାର ଦିନ ନୂଆଦିଲ୍ଲୀରେ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛନ୍ତି । ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନୋଟିସ ଜାରି କରି ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ନୋଟିସରେ କୁହାଯାଇଛି, “ବୁଧବାର (୨୬ ଅଗଷ୍ଟ) ଦିନ ନେପାଳର କିଛି ଅଞ୍ଚଳରେ ଏକ ବଡ଼ ବନ୍ୟା ଆସିଛି । ରିପୋର୍ଟ ଅନୁଯାୟୀ, ଘଟଣା ପରଠାରୁ ଶହ ଶହ ଭାରତୀୟ ନିଖୋଜ ଅଛନ୍ତି । ବିପର୍ଯ୍ୟୟରେ ଥିବା ଓଡ଼ିଶାର ବ୍ୟକ୍ତିମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ନୂଆଦିଲ୍ଲୀର ଓଡ଼ିଶା ନିବାସରେ ଏକ 24×7 ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି ।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ କଥା ହୋଇ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦେଇଛନ୍ତି । କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ଆକସ୍ମିକ ବନ୍ୟା ଦ୍ୱାରା ପ୍ରଭାବିତ ଭାରତୀୟ ନାଗରିକଙ୍କ ସହ ଜଡିତ ସହାୟତା ଏବଂ ସୂଚନା ପାଇଁ ଜରୁରୀକାଳୀନ ନମ୍ବର ଜାରି କରିଛି । Xରେ ଏକ ପୋଷ୍ଟରେ, କୁହାଯାଇଛି ଯେ, ଲୋକମାନେ +୯୭୭ ୯୮୫ ୧୩୧ ୬୮୦୭ କିମ୍ବା +୯୭୭ ୯୭୦ ୯୧୦ ୭୫୦୦ ରେ ଯୋଗାଯୋଗ କରିପାରିବେ ।

Comments are closed, but trackbacks and pingbacks are open.