ରାଜ୍ୟରେ ସ୍ୱତନ୍ତ୍ର ଭୋଟର ଅଭିଯାନ: ୩ ଦିନରେ ଆସିଲା ୩୩ ହଜାରରୁ ଅଧିକ ଫର୍ମ-୬ ଆବେଦନ

23

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପାଇଁ ଅକ୍ଟୋବର ୭, ୮ ଓ ୯ ତାରିଖରେ ଅନୁଷ୍ଠିତ ତିନିଦିନିଆ ସ୍ୱତନ୍ତ୍ର ଅଭିଯାନ ଶେଷ ହୋଇଛି। ଏହି ସମୟରେ ରାଜ୍ୟବ୍ୟାପୀ ଆୟୋଜିତ ଶିବିରଗୁଡ଼ିକରେ ବହୁସଂଖ୍ୟାରେ ଯୁବ ଓ ଯୋଗ୍ୟ ଭୋଟର ଆଗ୍ରହ ପ୍ରକାଶ କରି ଆବେଦନ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୨୬,୪୪୬ଟି ସ୍ୱତନ୍ତ୍ର ଶିବିର କରାଯାଇଥିଲା। ଏହି ଅଭିଯାନରେ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ବ୍ୟକ୍ତିଙ୍କଠାରୁ ୧,୪୪୮ଟି ଏବଂ ନୂତନ ତଥା ଯୁବ ଭୋଟରମାନଙ୍କଠାରୁ ୩୨,୦୬୭ଟି-ଏହିପରି ମୋଟ ୩୩,୫୧୫ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ କରାଯାଇଛି। ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବୁଥ୍‌ସ୍ତରୀୟ ଅଧିକାରୀ (BLO) ମାନଙ୍କ ଦ୍ୱାରା ଘରକୁ ଘର ବୁଲି ପରିଦର୍ଶନ କାର୍ଯ୍ୟ ଜାରି ରହିବ। ଏହି ଅବଧିରେ ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ଏବଂ ସଂଶୋଧନ ନେଇ ଆବଶ୍ୟକ ସହଯୋଗ ଓ ମାର୍ଗଦର୍ଶନ ପ୍ରଦାନ କରାଯିବ।

Comments are closed, but trackbacks and pingbacks are open.