ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଫ୍ଲାଏଦୁବାଇ ଆକ୍ରମଣ ଘଟଣାରେ ମାମଲା ରୁଜୁ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ। ଫ୍ଲାଏଦୁବାଇ ଫ୍ଲାଇଟ୍ ର କକପିଟ୍ରେ ଥିବା ଓମାନର ସହ ପାଇଲଟ ଏପରି ଆକ୍ରମଣ କରିଥିଲେ। ସେ ମଚ୍ଛାରଙ୍କୁ ଆକ୍ରମଣ କରି ବିମାନକୁ କ୍ରାଶ କରିବାକୁ ଚାହୁଁଥିଲେ ହେଁ ଏହା ସମ୍ଭବ ହୋଇ ନଥିଲା। ବିମାନଟି ସାଉଦି ଆରବରେ ଜରୁରୀ ଅବତରଣ କରିଥିଲା। ସୂଚନା ଥାଉ ଯେ, ସେପ୍ଟେମ୍ବର ୩୦ ତାରିଖ ସକାଳ ୭.୦୫ରେ ୧୭୪ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟଙ୍କୁ ଧରି ଫ୍ଲାଏଦୁବାଇ ବିମାନ ୧୦୭୩ ଦୁବାଇରୁ ଉଡ଼ାଣ ଭରିଥିଲା। ବିମାନଟି ଜୋର୍ଡାନ-ସାଉଦି ସୀମାନ୍ତ ଆକାଶ ପଥରେ ଥିବା ବେଳେ କକପିଟ୍ରେ ଆକ୍ରମଣ ଯୋଗୁ ଏହା ସିଧା ୧୬ ଫୁଟ ତଳକୁ ଖସି ଯାଇଥିଲା। ଓମାନୀୟ ପ୍ରଥମ ଅଫିସର କକପିଟ୍ରେ କ୍ୟାପ୍ଟେନ ମଚ୍ଛାରଙ୍କୁ ଆକ୍ରମଣ କରିଥିଲେ। ହେଲେ ରକ୍ତାକ୍ତ ଅବସ୍ଥାରେ ସେ କକପିଟ ଖୋଲି ଦେବାରୁ ଯାତ୍ରୀମାନେ ଆକ୍ରମଣକାରୀଙ୍କୁ କାବୁ କରି ନେଇଥିଲେ। ଆକ୍ରମଣରେ ମଚ୍ଛାରଙ୍କ ମୁଣ୍ଡ ଠାରୁ ଆରମ୍ଭ କରି ହାତ ଓ ପେଟରେ ଆଘାତ ଲାଗିଥିଲା। କେନ୍ଦ୍ର ସରକାର ଏବେ କହିଛନ୍ତି ଯେ ଅପରାଧ ଜଣେ ଭାରତୀୟ ନାଗରିକଙ୍କ ବିରୋଧରେ ହୋଇଥିଲା। ତେଣୁ ଏହା ୨୦୨୬ ମସିହା ଆଣ୍ଟି ହାଇଜାକ ଆଇନର ଧାରା ୩ ଓ ୟୁଏପିଏର ଧାରା ୧୫(୧)(ଏ) ଅଧୀନରେ ଆସୁଛି। ତେଣୁ ଏନଆଇଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ସମ୍ବେଦନଶୀଳ ଘଟଣା ପଛରେ ଥିବା ବୃହତ୍ତ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରାଯିବାର ଆବଶ୍ୟକତା ରହିଛି। ସରକାର ଜାତୀୟ ତଦନ୍ତକାରୀ ସଂସ୍ଥା ଆଇନ, ୨୦୦୮ର ଧାରା ୬ର ଉପ ଧାରା ୫ ଓ ୮ ଅନୁସାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
Comments are closed, but trackbacks and pingbacks are open.