ଝାରପଡ଼ା ଜେଲ୍‌ରେ ଏକାସାଙ୍ଗରେ ୭ କଏଦୀ ଅସୁସ୍ଥ

24

ଭୁବନେଶ୍ୱର: ଗତକାଲି ରାତିରେ ଝାରପଡ଼ାସ୍ଥିତ ସ୍ୱତନ୍ତ୍ର କାରାଗାରରେ ହଠାତ୍ ୭ ଜଣ କଏଦୀ ଅସୁସ୍ଥ ହୋଇପଡିଥିବା ଖବର ଜଣାପଡିଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ସେମାନଙ୍କୁ ଭୁବନେଶ୍ୱରର ବିଭିନ୍ନ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ପଚରାଉଚରାରୁ ଜଣାପଡ଼ିଛି ଯେ, ସେମାନେ ‘ଏମ୍-୧୦’ ନାମକ ନିଶା ଔଷଧ ସେବନ କରିଥିଲେ। ଏହା ଯୋଜନାବଦ୍ଧ ଭାବେ ଖାଇଥିବା ସନ୍ଦେହ କରାଯାଉଛି। ଡିଜିଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଡିଆଇଜିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବାବେଳେ ଡିଆଇଜି ବୀରେନ୍ ସାହୁ ଆଜି ଝାରପଡ଼ା ଜେଲରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ତଦନ୍ତର ଅଂଶ ଭାବେ ଜେଲର ସମସ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବା ସହ ଘଟଣା ସମୟରେ ଉପସ୍ଥିତ ଥିବା ଅନ୍ୟ ଅନ୍ତେବାସୀଙ୍କୁ ମଧ୍ୟ ପଚରାଉଚରା କରାଯିବ । ଜେଲ୍ ଭିତରକୁ ନିଶାଦ୍ରବ୍ୟ କିପରି ପ୍ରବେଶ କଲା, ଏଥିରେ କାହାର ସମ୍ପୃକ୍ତି ରହିଛି ଏବଂ କୌଣସି ସୁରକ୍ଷା ତ୍ରୁଟି ହୋଇଛି କି ନାହିଁ, ସେସବୁ ଦିଗକୁ ଗୁରୁତ୍ୱର ସହ ଖୋଳତାଡ଼ କରାଯାଉଛି । ଡିଆଇଜି ବୀରେନ୍ ସାହୁ ସ୍ପଷ୍ଟ କରିଛନ୍ତି, ଯଦି ଜେଲ୍ ଭିତରେ ନିଶା କାରବାର କିମ୍ବା କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ପ୍ରମାଣିତ ହୁଏ, ତେବେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

Comments are closed, but trackbacks and pingbacks are open.