ଅଂଶୁଘାତ ପାଇଁ ଜୀବଜନ୍ତୁଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା

243

ଭୁବନେଶ୍ବର:ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଉପକୂଳରୁ ପଶ୍ଚିମ ଏବଂ ଦକ୍ଷିଣରୁ ଉତ୍ତର ଓଡ଼ିଶା ସବୁଠି ଡହଡହ ଖରା ଅନୁଭୂତ ହୋଇଛି । ସକାଳ ୮ ପରଠାରୁ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ମଣିଷ ମାନଙ୍କ ଅବସ୍ଥା ଖରାପ ହୋଇପଡୁଥିବାବେଳେ ଜୀବଜନ୍ତୁଙ୍କ କଥା ନ କହିବା ଭଲ । ସେନେଇ ଅଂଶୁଘାତ ମୁକାବିଲା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଡାକ୍ତରଙ୍କ ପରାମର୍ଶ କ୍ରମେ ଜୀବଜନ୍ତୁଙ୍କୁ ତରଭୁଜ, ଆଖୁ ଓ କାକୁଡି ଭଳି ସପର ଫ୍ରୁଟ୍ ଏବଂ ଆଣ୍ଟି ହିଟ୍ ମେଡିସିନ ଦିଆଯାଉଛି । ଏନକ୍ଲୋଜର ଗୁଡ଼ିକୁ ବାଉଁଶ ତାଟି ଓ ବେଣା ଚେର ସ୍କ୍ରିନରେ ଘୋଡ଼ାଯାଇଛି । ଯଦ୍ବାରା ତାତିର ପ୍ରକୋପ କମ ରହିବ ଏବଂ ଅଂଶୁଘାତରୁ ରକ୍ଷାପାଇବେ ।

ପ୍ରାଣୀ ଉଦ୍ୟାନର ସମସ୍ତ ଏନକ୍ଲୋଜର ଗୁଡିକୁ ୨୪ ଘଣ୍ଟିଆ ପାଣି ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ଖରା ଦାଉରୁ ରକ୍ଷା କରିବାକୁ ସିମ୍ପାଞ୍ଜି ଓ ଗିବନ ପାଇଁ କୁଲର ବ୍ୟବସ୍ଥା ହୋଇଛି । ଭାଲୁମାନଙ୍କ ପାଇଁ ପାଣିରେ ବୁଡ଼ି ରହିବା ଭଳି ବ୍ୟବସ୍ଥା ହୋଇଛି । ସେହିପରି ପକ୍ଷୀମାନଙ୍କ ପାଇଁ କୃତ୍ରିମ ଝରଣା ଓ ପାଣି ସିଞ୍ଚନ ବ୍ୟବସ୍ଥା ହୋଇଛି ।

ଏହା ବ୍ୟତୀତ, ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସ୍ଥାନରେ ଥଣ୍ଡା ପାନୀୟ ବ୍ୟବସ୍ଥା କରାଯାଇଛି । ଉଦ୍ୟାନ ଭିତରେ ପର୍ଯ୍ୟଟକଙ୍କ ପାଇଁ ୫ଟି ଥଣ୍ଡା ପିଇବା ପାଣି କିଓସ୍କ ସମେତ ମୋଟ ୧୪ଟି ପାନୀୟ ଜଳ କିଓସ୍କ ରହିଛି । ଆଉ କିଛି ନୂଆ କିଓସ୍କ ଲଗାଯିବାର ବ୍ୟବସ୍ଥା କରାଯାଉଥିବା ନନ୍ଦନ କାନନ ପ୍ରାଣୀ ଉଦ୍ୟାନ ନିର୍ଦ୍ଦେଶକ କହିଛନ୍ତି ।

Comments are closed, but trackbacks and pingbacks are open.