ଟେକ୍ ମହିନ୍ଦ୍ରା ସହ ସୋଆର ବୁଝାମଣାପତ୍ର ସ୍ୱାକ୍ଷର : ଆଇଟିଇଆର୍ ପରିସରରେ ସେଂଟର ଅଫ୍ ଏକ୍ସିଲେନ୍ସ ପ୍ରତିଷ୍ଠା

70

ଭୁବନେଶ୍ୱର: ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗକୁ ଆହୁରି ସୁଦୃଢ କରିବା ସହ ଛାତ୍ରଛାତ୍ରୀଙ୍କୁ ଶିଳ୍ପାନୁକୂଳ ଦକ୍ଷତା ପ୍ରଦାନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଓ ବିଶ୍ୱସ୍ତରୀୟ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା ଲିମିଟେଡ୍ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଏହି ଚୁକ୍ତି ଅନୁଯାୟୀ ସୋଆର ଇଞ୍ଜିନିୟରିଂ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଇନ୍‌ଷ୍ଟିଚ୍ୟୁଟ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଏକ ଅତ୍ୟାଧୁନିକ ସେଂଟର ଅଫ୍ ଏକ୍ସିଲେନ୍ସ (ସିଓଇ) ଲ୍ୟାବ୍ ପ୍ରତିଷ୍ଠା କରାଯିବ । ଏହି ସହଯୋଗ ମାଧ୍ୟମରେ ଶିକ୍ଷାଗତ ଜ୍ଞାନ ଓ କର୍ପୋରେଟ୍ କ୍ଷେତ୍ରରେ ବ୍ୟବହାରିକ ଆବଶ୍ୟକତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରାଯିବ । ଏହାଦ୍ୱାରା ସ୍ନାତକ ଓ ସ୍ନାତକୋତର ଛାତ୍ରଛାତ୍ରୀମାନେ ଶିଳ୍ପାନକୂଳ ପ୍ରଶିକ୍ଷଣ, ଇନ୍‌ଟର୍ଣ୍ଣସିପ୍‌, ଗବେଷଣା ସହଯୋଗ ପ୍ରଫେସନାଲ ସାର୍ଟିଫିକେସନ୍ ଓ ଉନ୍ନତ କୌଶଳ ବିକାଶ କାର୍ଯ୍ୟକ୍ରମର ସୁଯୋଗ ପାଇବେ । ସେଂଟର ଅଫ୍ ଏକ୍ସିଲେନ୍ସରେ ଜାଭା ଫୁଲ ଷ୍ଟାକ୍‌, ନେଟ୍ ଫୁଲ ଷ୍ଟାକ୍‌, କୃତ୍ରିମ ବୁଦ୍ଧିମତା (ଏଆଇ) ମେସିନ୍ ଲର୍ଣ୍ଣିଂ (ଏମ୍‌ଏଲ୍‌), କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ସାଇନ୍ସ ସାଇବର ସିକ୍ୟୁରିଟି, ଇଂଟରନେଟ୍ ଅଫ୍ ଥିଙ୍ଗସ୍ (ଆଇଓଟି), ସେଲସ୍‌ଫୋର୍ସ, ଏସ୍‌ଏପି, ଡେଭଅପ୍ସ ଏବଂ ସର୍ଭିସ୍ ନାଓ ଭଳି ଉଚ୍ଚ ଚାହିଦା ସମ୍ପନ୍ନ ପ୍ରଯୁକ୍ତି କ୍ଷେତ୍ରରେ ପ୍ରଶକ୍ଷିଣ ପ୍ରଦାନ କରାଯିବ । ଯାହା ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ଶିଳ୍ପର ଆବଶ୍ୟକତା ଅନୁରୂପ ଦକ୍ଷ କରି ଗଢି ତୋଳିବ । ଏମ୍‌ଓୟୁ ସ୍ୱାକ୍ଷର ଓ ସିଓଇ ଲ୍ୟାବ୍ ଉଦ୍‌ଘାଟନ ଉତ୍ସବରେ ଟେକ୍ ମହିନ୍ଦ୍ରା ପକ୍ଷରୁ ଗ୍ଲୋବାଲ୍ ଲିଡରଶିପ୍ ହାୟାରିଂର ମୁଖ୍ୟ ଶ୍ରୀ ଧର୍ମରାଜ ନାୟକ ଏବଂ ସର୍ଭିସ୍ ନାଓ ପ୍ରାକ୍ଟିସେସ୍‌ର ପ୍ରୋଜେକ୍ଟ ଡେଲିଭରି ମ୍ୟାନେଜର ଶ୍ରୀ ମାଇକେଲ୍ ସୁଧୀର ୟେନ୍ନମ୍ ଉପସ୍ଥିତ ଥିଲେ । ସୋଆ ପକ୍ଷରୁ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଟିଇଆର୍ର ଡିନ୍ ଡଃ ପି. କେ. ସାହୁ, ପ୍ଲେସମେଂଟ ଡିନ୍ ଡକ୍ଟର ରାଜ କୁମାର ହୋତା ଏବଂ କ୍ୟାରିୟର ଡେଭେଲପମେଂଟ ସେଲ୍‌ର ମୁଖ୍ୟ ଶ୍ରୀ ସୁମିତ ମିତ୍ରଙ୍କ ସମେତ କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍ ଇଞ୍ଜିନିୟରିଂ, ସିଏସ୍‌ଆଇଟି, ଏଆଇ ଆଣ୍ଡ୍ ଏମ୍‌ଏଲ୍‌, ଡାଟା ସାଇନ୍ସ, ଆଇଓଟି, ମେକାନିକାଲ୍‌, ସିଭିଲ୍‌, ଇଲେକ୍ଟ୍ରିକାଲ୍‌, ଇଲେକ୍ଟ୍ରିକାଲ୍ ଆଣ୍ଡ୍ ଇଲେକ୍ଟ୍ରୋନିକ୍ସ ଏବଂ ଏମ୍‌ସିଏ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପ୍ରଥମେ ଡକ୍ଟର ରାଜ କୁମାର ହୋତା ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ଟେକ୍ ମହିନ୍ଦ୍ରାର ପ୍ରତିନିଧିମାନଙ୍କର ପରିଚୟ ପ୍ରଦାନ କରିଥିଲେ । କୁଳପତି ପ୍ରଫେସର ନନ୍ଦ ସୋଆର ଦ୍ରୁତ ଶିକ୍ଷାଗତ ଅଭିବୃଦ୍ଧି, ଗବେଷଣା କ୍ଷେତ୍ରରେ ସଫଳତା ଏବଂ ଶିଳ୍ପ ଉପଯୋଗୀ ମାନବ ସଂପଦ ସୃଷ୍ଟି ଦିଗରେ ବିଶ୍ୱବିଦ୍ୟାଳୟର ପ୍ରୟାସ ସଂପର୍କରେ ଆଲୋକପାତ କରିଥିଲେ । ଟେକ୍ ମହିନ୍ଦ୍ରାର ଶ୍ରୀ ଧର୍ମରାଜ ନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ପ୍ରଯୁକ୍ତି କ୍ଷେତ୍ରରେ ଉଚ୍ଚଦକ୍ଷ ଜନଶକ୍ତିର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସୋଆ ସହ ଏହି ସହଯୋଗ ଛାତ୍ରଛାତ୍ରୀଙ୍କୁ ଉନ୍ନତ କ୍ୟାରିୟର ସୁଯୋଗ ପ୍ରଦାନ କରିବା ସହ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସଂପର୍କକୁ ଆହୁରି ସୁଦୃଢ଼ କରିବ । ଶେଷରେ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଟେକ୍ ମହିନ୍ଦ୍ରା ପକ୍ଷରୁ ଶ୍ରୀ ଧର୍ମରାଜ ନାୟକ ପରସ୍ପର ମଧ୍ୟରେ ବୁଝାମଣାପତ୍ର ବିନିମୟ କରିଥିଲେ । ଏହାପରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଲ୍ୟାବ୍‌ର ଉଦ୍‌ଘାଟନ କରାଯାଇଥିଲା ।

Comments are closed, but trackbacks and pingbacks are open.