ଆସ୍କାରେ ଅଭାବନୀୟ ଘଟଣା: ଚଳନ୍ତା ବସରୁ ଟାଣିଆଣି କଣ୍ଡକ୍ଟରଙ୍କୁ ମାରଣାନ୍ତକ ଆକ୍ରମଣ

37

ଭୁବନେଶ୍ବର: ଆସ୍କା ସହର ଉପକଣ୍ଠ ରୁଷିକଲ୍ୟା ପୋଲ ଉପରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ‘ମାଁ’ ନାମକ ଏକ ଘରୋଇ ବସ୍ ଚାଲୁଥିବା ସମୟରେ କିଛି ଦୁର୍ବୃତ୍ତ ତାକୁ ଅଟକାଇ ବସ୍ ଭିତରୁ କଣ୍ଡକ୍ଟରଙ୍କୁ ଟାଣି ଆଣି ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ଏହି ମାରଣାନ୍ତକ ଆକ୍ରମଣରେ କଣ୍ଡକ୍ଟର ଗୁରୁତର ଆହତ ହୋଇଥିବା ବେଳେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ଆହତ କଣ୍ଡକ୍ଟର ଜଣକ ହେଲେ ବଡ଼ଗଡ଼ ଥାନା ଅନ୍ତର୍ଗତ ଓଳମ୍ବା ଗ୍ରାମର ରାଜା ଭୁୟାଁ। ସେ ଉକ୍ତ ବସ୍ରେ କଣ୍ଡକ୍ଟର ଭାବେ କାର୍ଯ୍ୟରତ ଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ପୋଲ ଉପରେ ବସ୍ ଯାଉଥିବା ବେଳେ ହଠାତ୍ କିଛି ଯୁବକ ବସ୍ଟିକୁ ଅଟକାଇଥିଲେ ଏବଂ ତାଙ୍କୁ ଜୋରଜବରଦସ୍ତି ବାହାରକୁ ଟାଣି ଆଣି ଏଭଳି ସଂଘାତିକ ଆକ୍ରମଣ କରିଥିଲେ। ତେବେ ପୂର୍ବ ଶତ୍ରୁତା କିମ୍ବା ଅନ୍ୟ କୌଣସି ବସ ମାଲିକାନା କିମ୍ବା ଭଡାକୁ ନେଇ ବିବାଦ ଯୋଗୁ ଏଭଳି ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଆକ୍ରମଣର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଖବର ପାଇ ସ୍ଥାନୀୟ ପୋଲିସ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଗୁରୁତର ଅବସ୍ଥାରେ ରାଜା ଭୁୟାଁଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଆସ୍କା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଥିବା ବେଳେ ଫେରାର ଥିବା ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Comments are closed, but trackbacks and pingbacks are open.