ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକ ନିକଟ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଛତ୍ରପୁର ଅଭିମୁଖେ ଯାଉଥିବା ଏକ କାର୍ ସାମ୍ନାରେ ଥିବା ଟ୍ରକ୍କୁ ଧକ୍କା ଦେବା ପରେ ଦୁଇଟିଯାକ ଗାଡ଼ି ନିୟନ୍ତ୍ରଣ ହରାଇ କେତେକ ମୋଟରସାଇକେଲ୍ ଓ ସାଇକେଲ୍ ଉପରେ ଚଢ଼ି ଯାଇଥିଲେ। ଫଳରେ ଗାଡ଼ିଗୁଡ଼ିକ ଚାପି ହୋଇ ଘଟଣାସ୍ଥଳରେ ବ୍ୟାପକ କ୍ଷତିଘଟିଛି। ଏହି ଦୁର୍ଘଟଣାରେ ଛତ୍ରପୁର ଟ୍ରେଜେରୀ କାର୍ଯ୍ୟାଳୟର କର୍ମଚାରୀ ରୋଜାଲିନ୍ ମିଶ୍ରଙ୍କର ମୃତ୍ୟୁ ଘଟିଛି। ଏହାସହିତ ସେହି କାର୍ଯ୍ୟାଳୟର ଅନ୍ୟ ଜଣେ କର୍ମଚାରୀ ଟି. କ୍ରିଷ୍ଣାଙ୍କ ସମେତ ସ୍ଥାନୀୟ ଅଞ୍ଚଳର କୃଷ୍ଣଚନ୍ଦ୍ର ବିଷୋୟୀ, ରୋଷନ୍ ନାହାକ, ଲକ୍ଷ୍ମୀଧର ଗୌଡ଼, ପ୍ରଭାକର ନାୟକ, ଲିପ୍ସାରାଣୀ, ମୋହନ ଚନ୍ଦ୍ର ଏବଂ ଉତ୍ତରପ୍ରଦେଶର ବିନୋଦ କୁମାର ଓ ବିକାଶ ରାଜପୁତ ପ୍ରମୁଖ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇ ଆହତ ଯୋଶୱନ୍ତ ରେଡ୍ଡୀ ଓ ଚନ୍ଦନ ରାଉଳଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖବର ପାଇ ଗଞ୍ଜାମ ଏସ୍ପି ହରିଶ୍ ବିଷି, ଛତ୍ରପୁର ବିଧାୟକ କୃଷ୍ଣ ନାୟକ ଏବଂ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା ଏବଂ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।
Comments are closed, but trackbacks and pingbacks are open.