ରାଜ୍ୟରେ ଛୋଟ ବନ୍ୟା ଆଶଙ୍କା: ସର୍ବୋଚ୍ଚ ଯନ୍ତ୍ରୀ

37

ଭୁବନେଶ୍ୱର: ରାଜ୍ୟରେ ବର୍ଷାର ପରିମାଣ କମିଥିଲେ ମଧ୍ୟ ବନ୍ୟା ଆଶଙ୍କା ଟଳିନାହିଁ। ଉପରମୁଣ୍ଡରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବିଶେଷ କରି ବୈତରଣୀ ନଦୀରେ ଏକ ସ୍ୱଳ୍ପ କିମ୍ବା ଛୋଟ ଧରଣର ବନ୍ୟା ଆସିପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସହ ନିରନ୍ତର ନଜର ରଖାଯାଇଛି। ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବୈତରଣୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ବିଶେଷ କରି ଯାଜପୁର ଏବଂ ଭଦ୍ରକ ଜିଲ୍ଲାରେ ପଡ଼ିପାରେ। ତେଣୁ ଏହି ଦୁଇ ଜିଲ୍ଲାର ନଦୀକୂଳିଆ ତଥା ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ ଓ ସଚେତନ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେପଟେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଓ ଉପରମୁଣ୍ଡର ବର୍ଷା ସ୍ଥିତିକୁ ସମୀକ୍ଷା କରାଯାଉଛି। ଆଗାମୀ ଦୁଇ ଦିନ ମଧ୍ୟରେ ଆବଶ୍ୟକତା ଅନୁଯାୟୀ ହୀରାକୁଦ ଡ୍ୟାମର ଗେଟ୍ ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏସବୁ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ଉପରେ ପାଣିପାଗ ବିଭାଗ କଡ଼ା ନଜର ରଖିଛି। ଯଦି ପୁଣି ବର୍ଷାର ପରିମାଣ ବଢ଼େ, ତେବେ ବନ୍ୟା ପରିସ୍ଥିତି ଜଟିଳ ହୋଇପାରେ ବୋଲି ଆକଳନ କରାଯାଉଛି। ବର୍ତ୍ତମାନ ସ୍ଥିତିରେ ସରକାରୀ ସ୍ତରରେ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଛି।

Comments are closed, but trackbacks and pingbacks are open.