ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ବୟାନ; କୋଟିଆ ପାଇଁ ସବୁ ଦଳ ଏକାଠି

35

ଭୁବନେଶ୍ୱର: କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ବିବାଦ ଚାଲିଥିବାବେଳେ ଏବେ ଏହାର ସୁରକ୍ଷା ପାଇଁ ଏକାଠି ହେବେ ସବୁ ଦଳର ନେତା। ନିର୍ବାଚନ ଦିନ କୋଟିଆରେ ଉପସ୍ଥିତ ରହି ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ବିରୋଧ କରିବେ ସ୍ଥାନୀୟ ଲୋକ, ରାଜନୈତିକ ଦଳ ଓ ସାମାଜିକ ସଂଗଠନ। ଏଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି। କୋଟିଆରେ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସୀମାରେ ଚେକ୍ପୋଷ୍ଟ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, କୋଟିଆବାସୀ ଆନ୍ଧ୍ରର ଏହି ନିର୍ବାଚନକୁ ବିରୋଧ କରୁଛନ୍ତି। କୋରାପୁଟରେ ସବୁ ରାଜନୈତିକ ଦଳ ଗୋଟିଏ ମଞ୍ଚରେ ଏକାଠି ହୋଇ ଏହାର ପ୍ରତିବାଦ କରୁଛନ୍ତି। ନିର୍ବାଚନ ଦିନ ସ୍ଥାନୀୟ ଲୋକ, ରାଜନୈତିକ ଦଳ ଓ ସାମାଜିକ ସଂଗଠନର ସଦସ୍ୟମାନେ କୋଟିଆରେ ଉପସ୍ଥିତ ରହି ନିର୍ବାଚନୀ କାର୍ଯ୍ୟକଳାପକୁ ବିରୋଧ କରିବେ। ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସ୍ଥିତି ଉପରେ ନଜର ରଖିବେ। ଆନ୍ଧ୍ରପ୍ରଦେଶରୁ ଆସିଥିବା ଚାଉଳ ବୋଝେଇ ଗାଡ଼ିକୁ ସ୍ଥାନୀୟ ଲୋକ ଫେରାଇ ଦେଇଥିବା ବେଳେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ନିଜ ରାଜ୍ୟକୁ ଫେରାଇ ଦିଆଯାଇଛି। ବାତ୍ୟା ସମୟରେ ଓଡ଼ିଶା ସରକାରଙ୍କ ପ୍ରଶାସନ କୋଟିଆବାସୀଙ୍କ ସହ ରହିଥିବା ସ୍ଥାନୀୟ ଲୋକ ଅନୁଭବ କରିଛନ୍ତି । ଗତ ନିର୍ବାଚନ ସମୟରେ କୋଟିଆ ଭିତରେ ଆନ୍ଧ୍ର ପକ୍ଷରୁ ମତଦାନ କେନ୍ଦ୍ର କରାଯାଇଥିଲା। କିନ୍ତୁ ଚଳିତ ବର୍ଷ କୋଟିଆ ବାହାରେ, ଅର୍ଥାତ୍ ଆନ୍ଧ୍ରପ୍ରଦେଶ ସୀମା ଭିତରେ ମତଦାନ କେନ୍ଦ୍ର କରାଯାଇଛି।

Comments are closed, but trackbacks and pingbacks are open.