ଭୁବନେଶ୍ବର: ପ୍ରଖ୍ୟାତ ପ୍ରଚ୍ଛଦପଟ୍ଟ ଗାୟିକା ଏସ୍. ଜାନକୀଙ୍କର ଶନିବାର ରାତିରେ ମହୀଶୂରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ସଙ୍ଗୀତ ଜଗତରେ ‘ଜାନକୀ ଆମ୍ମା’ ଭାବେ ବେଶ୍ ପରିଚିତ ଏହି କଣ୍ଠଶିଳ୍ପୀ ଚଳଚ୍ଚିତ୍ର, ଆଲବମ୍, ଟେଲିଭିଜନ ଏବଂ ରେଡିଓରେ ପ୍ରାୟ ୪୮ ହଜାରରୁ ଅଧିକ ଗୀତ ଗାଇ ଏକ ଅଦ୍ଭୁତପୂର୍ବ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଓଡ଼ିଆ ସମେତ ୨୦ଟି ଭାରତୀୟ ଭାଷାରେ ଅନେକ ଏକକ, ଯୁଗଳ ଓ ଟାଇଟଲ୍ ଟ୍ରାକ୍ରେ କଣ୍ଠଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୧୩ ମସିହାରେ ସେ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଭୂଷଣ’କୁ ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚାକୁ ଆସିଥିଲେ। ନିଜର ଦୀର୍ଘ ସଙ୍ଗୀତ କ୍ୟାରିଅରରେ ସେ ୪ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହିତ ବିଭିନ୍ନ ରାଜ୍ୟରୁ ୩୩ଟି ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ଗାୟିକା ସହିତ ସେ ଜଣେ ସୁମଧୁର ସଙ୍ଗୀତ ନିର୍ଦ୍ଦେଶିକା ମଧ୍ୟ ଥିଲେ। ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ “ଦକ୍ଷିଣ ଭାରତର ନାଇଟିଙ୍ଗେଲ୍” ବୋଲି କୁହାଯାଏ। ସେ ନିଜ କ୍ୟାରିଅରରେ ସର୍ବାଧିକ ଗୀତ କନ୍ନଡ଼ ଭାଷାରେ ଗାଇଥିବା ବେଳେ ତା’ପରକୁ ମାଲାୟଲମ ଭାଷାରେ ଅଧିକ ଗୀତ ଗାଇଛନ୍ତି। ଏହାସହ ଓଡ଼ିଆ ସଙ୍ଗୀତ ଜଗତ ସହ ମଧ୍ୟ ତାଙ୍କର ଗଭୀର ସମ୍ପର୍କ ଥିଲା। ବିଶେଷ କରି ୭୦ ଦଶକର ଅନେକ ସୁପରହିଟ୍ ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କ କଣ୍ଠନିସୃତ ଏକକ ଏବଂ ଯୁଗଳ ଗୀତ ଆଜି ମଧ୍ୟ ଶ୍ରୋତାଙ୍କ ମନରେ ସତେଜ ରହିଛି।
Comments are closed, but trackbacks and pingbacks are open.