ଆନ୍ଧ୍ରପ୍ରଦେଶରେ ରିଲାଏନ୍ସର ନିବେଶ: ୧ ଲକ୍ଷ କୋଟି ଟଙ୍କାରେ ସ୍ଥାପନ ହେବ ବାୟୋଗ୍ୟାସ ପ୍ଲାଣ୍ଟ

30

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଗ୍ରୀନ୍ ଏନର୍ଜି (ସବୁଜ ଶକ୍ତି) କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୧ ଲକ୍ଷ କୋଟି ଟଙ୍କାର ବିଶାଳ ନିବେଶ କରିବାକୁ ଯାଉଛି। ଏହି ବୃହତ୍ ପ୍ରକଳ୍ପ ଅଧୀନରେ ରାଜ୍ୟସାରା କମ୍ପ୍ରେସଡ୍ ବାୟୋଗ୍ୟାସ୍ (CBG) ପ୍ଲାଣ୍ଟଗୁଡ଼ିକ ସ୍ଥାପନ କରାଯିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ଏହି ସୂଚନା ଦେଇ କହିଛନ୍ତି ଯେ, ଏହି ନିବେଶ ଦ୍ୱାରା ରାଜ୍ୟରେ ୩ ଲକ୍ଷରୁ ଅଧିକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଆଗାମୀ ଦଶନ୍ଧିଗୁଡ଼ିକରେ ପ୍ରାୟ ୬୦,୦୦୦ କୋଟି ଟଙ୍କାର ରାଜସ୍ୱ ଉପାର୍ଜିତ ହେବ। ଏହି ନିବେଶକୁ କୃଷକ ସମୁଦାୟ ଏବଂ ଦେଶର ଶକ୍ତି ସୁରକ୍ଷା ସହ ଯୋଡ଼ି ଅନନ୍ତ ଅମ୍ବାନୀ ପ୍ରକାଶ କରିଛନ୍ତି ଯେ, ଯେଉଁ ଚାଷୀମାନେ ଭାରତର ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରୁଛନ୍ତି, ସେମାନେ ଏବେ ଦେଶର ଭବିଷ୍ୟତ ଶକ୍ତି ଆବଶ୍ୟକତା ପୂରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଏହି ପଦକ୍ଷେପ ଚାଷୀମାନଙ୍କୁ ‘ଅନ୍ନଦାତା’ ରୁ ‘ଊର୍ଜାଦାତା’ (ଶକ୍ତି ଯୋଗାଣକାରୀ) ରେ ପରିଣତ କରିବ। ମଦନପଲ୍ଲୀ ଠାରେ ଆୟୋଜିତ ‘ରାୟଲସୀମା ହର୍ଟିକଲଚର ହବ୍’ ଏବଂ ‘ଇଣ୍ଡିଆନ୍ ସ୍କୁଲ୍ ଅଫ୍ ଏଗ୍ରିକଲଚର’ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ସେ ଉଦ୍‌ବୋଧନ ଦେଇ ଏହା କହିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ, ଉପ-ମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ଏବଂ ଆଇଟି ମନ୍ତ୍ରୀ ନାରା ଲୋକେଶଙ୍କ ସମେତ ଅନେକ ବିଶିଷ୍ଟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.