ରଥଯାତ୍ରା ତୃତୀୟ ସମନ୍ବୟ ବୈଠକ : ଭକ୍ତ ମାନଙ୍କ ସହଜ ଦର୍ଶନ ପାଇଁ ,ସମସ୍ତଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ

31

ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା I ମହାପ୍ରଭୁଙ୍କ ରଥ ଯାତ୍ରା ପାଇଁ ରଥଖଳା ଚଳଚଂଚଳ ,ଜୋରଦାର ଚାଲିଛି ପ୍ରସ୍ତୁତି । ଆସନ୍ତା ଜୁଲାଇ ୧ ତାରିଖରେ ହେବାକୁ ଥିବା ରଥଯାତ୍ରାର ପ୍ରସ୍ତୁତି ନେଇ ଆଜି ରଥଯାତ୍ରା ତୃତୀୟ ସମନ୍ୱୟ କମିଟି ବୈଠକ ପୁରୀ ଟାଉନ୍ ହଲରେ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଭର୍ଚୁଆଲ ମୋଡରେ ଯୋଗଦେଇଥିଲେ । ଏହା ସହ ବୈଠକରେ ୭ ଜଣ ମନ୍ତ୍ରୀ ଓ ଉନ୍ନୟନ କମିଶନର ଉପସ୍ଥିତ ଥିଲେ । ପୋଲିସ ଡିଜିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ, ପୁରୀ ଜିଲ୍ଲାପାଳ, ଏସପି ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରି ରଥାଯାତ୍ରା ଯେପରି ଶାନ୍ତିଶୃଙ୍ଖଳା ସହିତ ସୁରୁଖୁରୁରେ ଅନୁଷ୍ଠିତ ହେବ, ତଥା ଭକ୍ତ ମାନେ ଯେପରି ସ ହ ଜ ରେ ଦର୍ଶନ କରି ପାରିବେ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

ଦୁଇ ବର୍ଷ ପରେ ଭକ୍ତମାନଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଏଥିରେ ଖୁସି ପ୍ରକାଶ କରି କହିଛନ୍ତି ଯେ ଏବର୍ଷ ବହୁତ ଅଧିକ ଭକ୍ତ ଆସିବେ। ତେଣୁ ସବୁପ୍ରକାର ଆଗୁଆ ବନ୍ଦୋବସ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସମସ୍ତେ ଯେପରି ଭଲ ଅନୁଭବ ନେଇ ଫେରିବେ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସେ କହିଛନ୍ତି । ଶ୍ରୀମନ୍ଦିର ନିତିକାନ୍ତି, ପହଣ୍ଡି, ରଥଟଣା, ଗହଳି ନିୟନ୍ତ୍ରଣ, ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିକୁ ନେଇ ଆନୁଷଙ୍ଗିକ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ପାନୀୟ ଜଳ, ଜଳସିଂଚନ, ଭିଆଇପି ଦର୍ଶନ ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି ।

କୋଭିଡ ସମୟରେ ରଥଯାତ୍ରା ପରିଚଳନାରେ ସେବାୟତ ବନ୍ଧୁମାନେ ଯେପରି ସହଯୋଗ କରିଥିଲେ, ନିଜେ ରଥକୁ ଟାଣି ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ, ସେଥିପାଇଁ ସେ ସେବାୟତ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ବୈଠକରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ରଥଯାତ୍ରା ପ୍ରସ୍ତୁତି ସଂପର୍କରେ ବିଭିନ୍ନ ନିଷ୍ପତ୍ତି ଏବଂ ଏହାର ଅନୁପାଳନ ସଂପର୍କରେ ସୂଚନା ଦେଇଥିଲେ। ଉନ୍ନୟନ କମିଶନର ପି.କେ. ଜେନା ରଥାଯାତ୍ରା ପାଇଁ ନିଆଯାଇଥିବା ସମସ୍ତ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ ଆଇନ ଶୃଙ୍ଖଳା ବ୍ୟବସ୍ଥା, ପରିଚାଳନା ଓ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସ୍ବାଗତ ଭାଷଣ ଦେଇଥିଲେ ଏବଂ କେନ୍ଦ୍ରାଞ୍ଚଳ ଆର.ଡି.ସି ଧନ୍ୟବାଦ ଅର୍ପଣ କରିଥିଲେ।

ବୈଠକରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ପୁରୀ ସାଂସଦ ଓ ବିଧାୟକ ପ୍ରମୁଖଙ୍କ ସହିତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ପୁରୀ ଜିଲ୍ଲାପାଳ, ସେବାୟତ ଓ ଛତିଶା ନିଯୋଗର ସଦସ୍ୟମାନେ ଯୋଗ ଦେଇଥିଲେ।

Comments are closed, but trackbacks and pingbacks are open.