ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜେଶ ମହାନ୍ତି ଗିରଫ

65

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଜଳସେଚନ ମଣ୍ଡଳର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଚଢ଼ାଉ ସମୟରେ ତାଙ୍କ ନିକଟରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ବେଳେ ଏହାର କୌଣସି ସନ୍ତୋଷଜନକ ଉତ୍ତର ସେ ଦେଇପାରିନଥିଲେ। ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା (ନଂ. ୧୫/୨୦୨୬) ପଞ୍ଜିକୃତ କରାଯାଇଛି। ଅଭିଯୁକ୍ତ ରାଜେଶଙ୍କୁ ଆଜି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଚଢ଼ାଉ ବେଳେ ରାଜେଶଙ୍କର ଅନେକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପତ୍ତା ପାଇଛି ଭିଜିଲାନ୍ସ ଟିମ୍। ସେଗୁଡ଼ିକ ମଧ୍ୟରେ ରହିଛି: ଭୁବନେଶ୍ୱର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ (ଲେନ-୮)ରେ ୩୦୦୦ ବର୍ଗଫୁଟର ଏକ ୩ ମହଲା ବିଶିଷ୍ଟ କୋଠା। ଢେଙ୍କାନାଳ ଜିଲ୍ଲା ଭାପୁର ବିମ୍ବୋଳ ଅଞ୍ଚଳରେ ଏକ ଦୁଇ ମହଲା କୋଠା ସମେତ ବିଶାଳ ଫାର୍ମ ହାଉସ। ଭୁବନେଶ୍ୱରରେ ଗୋଟିଏ, ଯାଜପୁର କଳିଙ୍ଗନଗରରେ ଗୋଟିଏ ଏବଂ ବିମ୍ବୋଳ ଅଞ୍ଚଳରେ ୬ଟି ପ୍ଲଟ୍ ଥିବା ଜଣାପଡ଼ିଛି। ଏହା ବ୍ୟତୀତ ବିପୁଳ ପରିମାଣର ନଗଦ ଟଙ୍କା, ସୁନା ଗହଣା ଏବଂ ଗୁରୁତ୍ୱପୂର୍ଣ୍ଣ ଦଲିଲ୍ ଜବତ କରାଯାଇଛି।

Comments are closed, but trackbacks and pingbacks are open.