ରାୟବରେଲିରେ ବର୍ଷିଲେ ରାହୁଲ ଗାନ୍ଧୀ: ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ କହିଲେ ‘ବିଶ୍ୱାସଘାତକ’

30

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୀତି ଓ ଆଭିମୁଖ୍ୟକୁ ନେଇ ପୁଣି ଥରେ ଜୋରଦାର ଆକ୍ରମଣ କରିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ନିଜ ସଂସଦୀୟ କ୍ଷେତ୍ର ରାୟବରେଲି ଗସ୍ତର ଦ୍ୱିତୀୟ ଦିନରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଅତ୍ୟନ୍ତ କଡ଼ା ଭାଷା ବ୍ୟବହାର କରିଛନ୍ତି। କେନ୍ଦ୍ରର ଦୁଇ ଶୀର୍ଷ ନେତାଙ୍କୁ ‘ବିଶ୍ୱାସଘାତକ’ ବୋଲି ସମ୍ବୋଧନ କରିବା ସହ ଆଗାମୀ ଦିନରେ ଦେଶରେ ଏକ ବଡ଼ ଆର୍ଥିକ ସଙ୍କଟ ଦେଖାଦେବ ବୋଲି ସେ ଚେତାବନୀ ଦେଇଛନ୍ତି। ରାୟବରେଲିରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ଆସନ୍ତା ୩-୪ ମାସ ମଧ୍ୟରେ ଦେଶର ଆର୍ଥିକ ସ୍ଥିତି ଆହୁରି ସଂଘାତିକ ରୂପ ଧାରଣ କରିବ। ବଜାରରେ ଦରଦାମ ଏତେ ପରିମାଣରେ ବୃଦ୍ଧି ପାଇବ, ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଆଗକୁ ଲୋକଙ୍କୁ ତେଲ, ଗ୍ୟାସ ଏବଂ ଚାଷୀଙ୍କୁ ଆବଶ୍ୟକୀୟ ସାମଗ୍ରୀ ମିଳିବା କଷ୍ଟକର ହୋଇପଡ଼ିବ। ଏହି ମହଙ୍ଗା ମାଡ଼ର ସବୁଠାରୁ ଅଧିକ ଶିକାର ଦେଶର ଚାଷୀ, ଯୁବଗୋଷ୍ଠୀ ଏବଂ ମହିଳାମାନେ ହେବେ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ସେ ଆହୁରି କହିଛନ୍ତି, “ନରେନ୍ଦ୍ର ମୋଦୀ ଦେଶର ଆର୍ଥିକ ସ୍ଥିତିକୁ ଏଭଳି ଏକ ସ୍ତରକୁ ନେଇଯାଇଛନ୍ତି, ଯାହାକୁ ସମ୍ଭାଳିବା ଆଉ ସହଜ ହେବନାହିଁ। ସେ ଦେଶକୁ କେତେକ ନିର୍ଦ୍ଦିଷ୍ଟ ପୁଞ୍ଜିପତିଙ୍କ ହାତରେ ଟେକି ଦେଇଛନ୍ତି ଏବଂ ଦେଶର ସମ୍ବିଧାନକୁ ଚିରି ଫିଙ୍ଗି ଦେଇଛନ୍ତି।” ଆଗକୁ ଆସୁଥିବା ଆର୍ଥିକ ଝଡ଼ରୁ କେହି ବଞ୍ଚିପାରିବେ ନାହିଁ ଏବଂ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଭିଜନ ସାମ୍ନାକୁ ଆସି କାନ୍ଦିବେ ବୋଲି ରାହୁଲ ଗାନ୍ଧୀ ନିଜ ବୟାନରେ କହିଛନ୍ତି। ଗଣମାଧ୍ୟମ ଓ ରାଜନୈତିକ ମହଲରେ ରାହୁଲଙ୍କ ଏହି ବିସ୍ଫୋରକ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Comments are closed, but trackbacks and pingbacks are open.