ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ସୋସିଆଲ ମିଡିଆ Xରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଭାରତର ଇତିହାସରେ ସବୁଠାରୁ ଯୁବ ବିରୋଧୀ ପ୍ରଧାନମନ୍ତ୍ରୀ । ସେ ଏତେ ଯୁବ ବିରୋଧୀ ଯେ, ସେ ଜଣେ ବିଫଳ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫାକୁ ମଧ୍ୟ ଗ୍ରହଣ କରିପାରିବେ ନାହିଁ ।” ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି, “୧୫୨ଟି ପେପର ଲିକ୍ ହୋଇଛି । ୭.୫ କୋଟି ଛାତ୍ରଛାତ୍ରୀ ଏହାର ଶିକାର ହୋଇଛନ୍ତି । ଜଣେ ହେଲେ ଦୋଷୀଙ୍କୁ ଦଣ୍ଡ ଦିଆଯାଇନାହିଁ । କାହାକୁ ଦଣ୍ଡ ଦିଆଯାଇଛି? କଠିନ ପରିଶ୍ରମୀ ଯୁବକମାନଙ୍କୁ l ଯେତେବେଳେ ପିଲାମାନେ ଶିକ୍ଷା ସମ୍ପର୍କରେ ଯଥାର୍ଥ ପ୍ରଶ୍ନ ଉଠାନ୍ତି, ଜବାବରେ ସେମାନଙ୍କୁ ଲାଠିଚାର୍ଜ ଏବଂ ଅଟକ ରଖାଯାଉଛି । ଯେଉଁ ଅପରାଧୀମାନେ ପେପର ଲିକ୍ କରିଥିଲେ ସେମାନେ ମୁକ୍ତ ଭାବରେ ବୁଲୁଛନ୍ତି – ଏବଂ ବୈଧ ପ୍ରସଙ୍ଗ ଉଠାଇଥିବା ଛାତ୍ରମାନଙ୍କୁ ଟାଣି ଟାଣି ନିଆଯାଉଛି, ମାଡ଼ ଦିଆଯାଉଛି ।” ରାହୁଲ ଗାନ୍ଧୀ ଭିଡିଓରେ ଦାବି କରିଛନ୍ତି ଯେ, ଏହି ସରକାର କେବଳ ଯୁବପିଢ଼ିଙ୍କୁ ବିଫଳ କରୁନାହିଁ – ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ସେ କହିଛନ୍ତି ଯେ, ଦିଲ୍ଲୀରେ ପ୍ରତିବାଦ କରୁଥିବା ପୁଅ ଏବଂ ଝିଅମାନେ ଅପରାଧୀ ନୁହଁନ୍ତି ଏବଂ ସେମାନଙ୍କର ଦାବି ଯଥାର୍ଥ । ପୋଲିସ ଯାହା କରିଛି ତାହା ସମ୍ପୂର୍ଣ୍ଣ ନିନ୍ଦନୀୟ । ପ୍ରଧାନମନ୍ତ୍ରୀ ଯୁବକମାନଙ୍କ ଦାବିକୁ ଗ୍ରହଣ କରିବା ଉଚିତ । ସୂଚନା ଅନୁଯାୟୀ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପେପର ଲିକ୍ ବିରୋଧରେ ପ୍ରତିବାଦ କରୁଥିବା ହଜାର ହଜାର କକ୍ରୋଚ୍ ଜନତା ପାର୍ଟି ସମର୍ଥକ ସଂସଦ ଆଡକୁ ଅଗ୍ରସର ହେବା ସମୟରେ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିବା ପରେ ସୁରକ୍ଷା ବାହିନୀ ସଂସଦ ଷ୍ଟ୍ରିଟ୍ ନିକଟରେ ଲାଠିଚାର୍ଜ କରିଥିଲା ଏବଂ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା l
Comments are closed, but trackbacks and pingbacks are open.