ଦୁବାଇ ନିବେଶ ଅଭିଯାନରେ ଓଡ଼ିଶାକୁ ୨.୪୩ ଲକ୍ଷ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ

18

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ତିନିଦିନିଆ ଉଚ୍ଚସ୍ତରୀୟ ପୁଞ୍ଜିନିବେଶ ଅଭିଯାନ ଶେଷ ହୋଇଛି। ଏହି ଗସ୍ତକାଳରେ ରାଜ୍ୟକୁ ମୋଟ ୨ ଲକ୍ଷ ୪୩ହଜାର ୧୬୨ କୋଟି ଟଙ୍କାର ବିଶାଳ ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିବାବେଳେ ମୋଟ ୮ ଲକ୍ଷ ୯୫ହଜାର ୭୨୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବାପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ଲକ୍ଷ ୧୮ ହଜାର ୭୨୫ ଜଣ ନିଯୁକ୍ତି ପାଇବା ସହିତ ଆଗାମୀ ୫ବର୍ଷର ନିର୍ମାଣ ପର୍ଯ୍ୟାୟରେ ଆହୁରି ୨ଲକ୍ଷ ୭୭ହଜାର ଅତିରିକ୍ତ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ତିନିଦିନିଆ ସମ୍ମିଳନୀରେ ଅନ୍ତର୍ଜାତୀୟ ନିବେଶକ, ଶିଳ୍ପପତି ଓ ଅନ୍ୟ ପ୍ରତିନିଧିମାନଙ୍କ ସହିତ ୪୬ଟି ୱାନ-ଅନ-ୱାନ ବୈଠକ ଓ ୬ଟି ରାଉଣ୍ଡ ଟେବୁଲ ଆଲୋଚନା ହୋଇଥିଲା। ଏଥିରେ ମୋଟ ୧୬ଟି ପୁଞ୍ଜିନିବେଶ ପ୍ରସ୍ତାବ ଓ ୮ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦୁବାଇରେ ଅନୁଷ୍ଠିତ ନିବେଶକ ସମ୍ମିଳନୀରେ ପ୍ରାୟ ୪୦୦ ଜଣ ବିଶ୍ୱସ୍ତରୀୟ ଶିଳ୍ପ ପ୍ରତିନିଧି ଯୋଗ ଦେଇଥିଲେ।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଇଣ୍ଟରନ୍ୟାସନାଲ ହୋଲ୍‌ଡିଂ କମ୍ପାନୀ ଓ ଆଦାନୀ ଗ୍ରୁପ୍ ମଧ୍ୟରେ ରଣନୀତିକ ସହଭାଗିତା ସ୍ଥାପନ ହୋଇଥିଲା, ଯାହା ମିନେରାଲ୍ସ, ଗ୍ରୀନ ଏନର୍ଜି ଓ ଶିଳ୍ପ ଭିତ୍ତିଭୂମି କ୍ଷେତ୍ରକୁ ତ୍ୱରାନ୍ୱିତ କରିବ। ଏଲଏନଜି ସଂରକ୍ଷଣ ପାଇଁ କାଜବା ପ୍ରୋଜେକ୍ଟ ଭେଞ୍ଚର୍ସ, ଗ୍ରୀନ ଏନର୍ଜି ଓ ଏଆଇ ଡାଟା ସେଣ୍ଟର ପାଇଁ ରାଣା ହୋଲ୍ଡିଂସ, ଆବାସିକ ପ୍ରକଳ୍ପ ପାଇଁ ସରାଫ ଗ୍ରୁପ୍ ଓ ଇସ୍ପାତ ଡାଉନଷ୍ଟ୍ରିମ୍ ଶିଳ୍ପ ପାଇଁ ପିଟିସିଏଲ୍ ଇନଫ୍ରାଷ୍ଟ୍ରକଚର ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଜାହାଜ ମରାମତି କ୍ଷେତ୍ରରେ ଡାଲୱିନ୍ ମେରାଇନ୍ ଓ ଟର୍ବୋ ପାୱାର୍ ଇଞ୍ଜିନିୟରିଂ, ରକେଟ୍ ପ୍ରୋପେଲାଣ୍ଟ ଉତ୍ପାଦନ ପାଇଁ ଆଇଅନ୍ ଟେକ୍ନୋଲୋଜିଜ୍ ଓ ସାର ତଥା ରାସାୟନିକ ପଦାର୍ଥ ପାଇଁ ଆଗ୍ରିଫିଲଡସ କମ୍ପାନୀ ନିଜର ପ୍ରସ୍ତାବ ଦେଇଛନ୍ତି। ଏମିରେଟ୍ସ ଗ୍ଲୋବାଲ୍ ଆଲୁମିନିୟମ୍ ପରିଦର୍ଶନ କରି ଉନ୍ନତ ପ୍ରଯୁକ୍ତିବିଦ୍ୟାର ଅନୁଧ୍ୟାନ କରିଥିବାବେଳେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ନିବେଶକମାନଙ୍କୁ ସରକାରଙ୍କ ତରଫରୁ ଦ୍ରୁତ ଅନୁମୋଦନ ଓ ପୂର୍ଣ୍ଣ ସହଯୋଗର ଆଶ୍ୱାସନା ଦେଇଛନ୍ତି। ଦୁବାଇରେ ଆୟୋଜିତ ଏକ ଭବ୍ୟ ସମାବେଶରେ ୮୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସ୍ୱାଗତ କରିଥିଲେ।

Comments are closed, but trackbacks and pingbacks are open.