ପୁରୀରେ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ ପାଇଁ ପ୍ରସ୍ତାବ

19

ପୁରୀ: ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ଏକ ଅତ୍ୟାଧୁନିକ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଏହି ଉଦ୍ଦେଶ୍ୟରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (PPA) ଏବଂ ଓଡ଼ିଶା ମାରିଟାଇମ୍ ବୋର୍ଡ (OMB) ମଧ୍ୟରେ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏନେଇ ବିଧାନସଭାରେ ବିଧାୟକ ସଂଜୀବ କୁମାର ମଲ୍ଲିକଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ସୂଚନା ଅନୁସାରେ, ପ୍ରସ୍ତାବିତ କ୍ରୁଜ୍ ଟର୍ମିନାଲ ପୁରୀ ଜିଲ୍ଲାର ସିପସୁବାଳି ଅଞ୍ଚଳରେ ଥିବା ଧନଶ୍ରୀ ନଦୀର ମୁହାଣ ନିକଟରେ ଚିହ୍ନଟ ହୋଇଥିବା ପ୍ରାୟ ୬୦ ଏକର ଜମିରେ ନିର୍ମାଣ କରାଯିବ। ପ୍ରକଳ୍ପର ବୈଷୟିକ-ଆର୍ଥିକ ସମ୍ଭାବ୍ୟତା ରିପୋର୍ଟ ପ୍ରସ୍ତୁତ କରିବା ପାଇଁ WAPCOS Limited ନାମକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ରିପୋର୍ଟ ପ୍ରସ୍ତୁତ ହେବା ପରେ ପ୍ରକଳ୍ପର ଆର୍ଥିକ ଓ କାର୍ଯ୍ୟାନ୍ୱୟନ ସମ୍ପର୍କିତ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। କ୍ରୁଜ୍ ଟର୍ମିନାଲର ଯୋଜନାବଦ୍ଧ ବିକାଶ ଓ କାର୍ଯ୍ୟାନ୍ୱୟନ ନିମନ୍ତେ ମୁଖ୍ୟ ପରିଚାଳନା ଅଧିକାରୀ, ଓଡ଼ିଶା ମାରିଟାଇମ୍ ବୋର୍ଡଙ୍କ ଅଧ୍ୟକ୍ଷତାରେ ଏକ Special Purpose Vehicle (SPV) ଗଠନ ପାଇଁ ପ୍ରସ୍ତାବ ରହିଛି। ଏହାର ମାଧ୍ୟମରେ ପ୍ରକଳ୍ପର କାର୍ଯ୍ୟକୁ ଆଗେଇ ନିଆଯିବ। କ୍ରୁଜ୍ ଟର୍ମିନାଲ ପ୍ରତିଷ୍ଠା ହେଲେ ପୁରୀକୁ ଆନ୍ତର୍ଜାତୀୟ କ୍ରୁଜ୍ ପର୍ଯ୍ୟଟନରେ ପ୍ରମୁଖ ସ୍ଥାନ ମିଳିବା ସହ ପର୍ଯ୍ୟଟନ ଓ ସାମୁଦ୍ରିକ ଅର୍ଥନୀତିକୁ ନୂଆ ଗତି ମିଳିବାର ଆଶା ରହିଛି।

Comments are closed, but trackbacks and pingbacks are open.