ସ୍କୁଲ ବହିରେ ମୁଦ୍ରଣ ତ୍ରୁଟି: ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠିତ

22

ଭୁବନେଶ୍ୱର: ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଦେଖାଦେଇଥିବା ବ୍ୟାପକ ମୁଦ୍ରଣ ତ୍ରୁଟି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଆଜି ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି। ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗର ଉପ-ସଚିବ ସ୍ମିତା ପାଣି ସଦସ୍ୟ ଅଛନ୍ତି। ପାଠ୍ୟପୁସ୍ତକ ମୁଦ୍ରଣରେ କେଉଁ ସ୍ତରରେ ତ୍ରୁଟି ହୋଇଛି ଏବଂ ଏଥିପାଇଁ କେଉଁ ଅଧିକାରୀ ବା ସଂସ୍ଥା ଦାୟୀ, କମିଟି ତାହାର ତଦନ୍ତ କରିବ। ଆସନ୍ତା ୭ ଦିନ ମଧ୍ୟରେ ତଦନ୍ତ ପ୍ରକ୍ରିୟା ଶେଷ କରି ରିପୋର୍ଟ ପ୍ରଦାନ କରିବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ପ୍ରାଥମିକ ଶ୍ରେଣୀ ବହିଗୁଡ଼ିକରେ ବ୍ୟାପକ ମୁଦ୍ରଣ ଜନିତ ଅସଙ୍ଗତି ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଗତକାଲି ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିବା ସହ ତ୍ରୁଟିଗୁଡ଼ିକୁ ତୁରନ୍ତ ସୁଧାରିବା ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।

Comments are closed, but trackbacks and pingbacks are open.