ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ କ୍ଲାସରୁମରେ ବନ୍ଦ କଲେ ପ୍ରଧାନ ଶିକ୍ଷକ

20

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ଅମ୍ବୁରା ପ୍ରାଥମିକ ବିଦ୍ୟାଳୟର ଅଫିସ ରୁମ ଭିତରେ ଚାଲିଛି ମଦ ସହ ମାଛ ଭାତର ଆସର । ଏହି ମଦ ନିଶା ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି । ଅଭିଯୋଗ ଅନୁଯାୟୀ ପ୍ରଧାନଶିକ୍ଷକ ଗତ ମଙ୍ଗଳବାର ଦିନ ଅତ୍ୟଧିକ ନିଶାସକ୍ତ ହୋଇ ପଡ଼ିଥିଲେ। ଏପରିକି ସେ ନିଶା ଗ୍ରସ୍ତ ଅବସ୍ଥାରେ ଶ୍ରେଣୀଗୃହ ଭିତରେ କୋମଳମତି ଶିଶୁମାନଙ୍କୁ ପୂରାଇ ବାହାରୁ କବାଟ ଦେଇ ଦେଇଥିବା ଗୁରୁତର ଅଭିଯୋଗ ହୋଇଛି। ଯେତେ ଯିଏ କବାଟ ବାଡ଼େଇଥିଲେ ମଧ୍ୟ ଖୋଲି ନ ଥିଲେ । ଏହାପରେ ନିଜେ ଅଫିସ କୋଠରୀ ଭିତରେ ବସି ଆମିଷ ଭୋଜନ ସହ ମଦ୍ୟପାନ କରୁଥିବା ଦେଖିବାକୁ ମିଳିଥିଲା। ଶେଷରେ ବିଭାଗୀୟ ଅଧିକାରୀମାନେ ପହଁଚି ତାଲା ଭାଙ୍ଗି ବିଦ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ । ଏହି ଘଟଣାକୁ ନେଇ ପ୍ରଧାନ ଶିକ୍ଷକଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହା କୌଣସି ଗୋଟିଏ ଦିନର ଘଟଣା ନୁହେଁ ବରଂ ପ୍ରଧାନଶିକ୍ଷକ ନିୟମିତ ଭାବେ ଏପରି ବେଆଇନ ଆଚରଣ ପ୍ରଦର୍ଶନ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ନିରାପତ୍ତାକୁ ନେଇ ଅଭିଭାବକମାନେ ଗଭୀର ଚିନ୍ତାପ୍ରକଟ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ​ଏହି ଘଟଣା ପ୍ରଚାରିତ ହେବା ପରେ ବ୍ଲକ ଶିକ୍ଷାଧିକାରୀ (BEO) ମଦନ ମୋହନ କର ଘଟଣାର ତଦନ୍ତ କରିଥିଲେ । ତଦନ୍ତ ରିପୋର୍ଟ ଆସିବା ପରେ ପ୍ରଧାନ ଶିକ୍ଷକ ସୁନାକର ନାୟକଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି ।

Comments are closed, but trackbacks and pingbacks are open.